କନକ ବ୍ୟୁରୋ : ଭୁବନେଶ୍ବରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଛନ୍ତି । ରାଜ୍ୟରେ ସଂଗଠିତ ଅପରାଧକୁ ଦମନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ବ୍ୟକ୍ତି ଯେତେ ବି ପ୍ରଭାବଶାଳୀ କିମ୍ବା ଶକ୍ତିଶାଳୀ ହୁଅନ୍ତୁ, ଗିରଫ କରାଯିବ, କଠୋର ଦଣ୍ଡ ଦିଆଯିବ । 

Advertisment

ମହିଳାଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାଙ୍କ ସୁରକ୍ଷା ପାଇଁ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଉଛି । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କ ସ୍ଥାନ ଜେଲରେ ନୁହେଁ ସମାଜରେ ବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ଓଡ଼ିଶା ଆଗାମୀ ଦିନରେ ଫାର୍ମା ହବ୍ ବୋଲି ଗାନ୍ଧୀମାର୍ଗରୁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆଜିର ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆମର ପୁଲିସ ଏବଂ ସୈନ୍ୟ ବାହିନୀ, ଯେଉଁମାନଙ୍କ ହାତରେ ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଗୁରୁ ଦାୟିତ୍ଵ ଅର୍ପିତ ଅଛି । ଦଳମତ ନିର୍ବିଶେଷରେ ସେମାନଙ୍କୁ ସମ୍ମାନ ଜଣାଇବା ଏବଂ ତାଙ୍କୁ ନେଇ ଗର୍ବ କରିବା ଆମ ସମସ୍ତଙ୍କର ଦାୟିତ୍ଵ । ତେଣୁ, ଆମ ସରକାର ରାଜ୍ୟରେ ଡ୍ୟୁଟି ସମୟରେ ପ୍ରାଣବଳି ଦେଇଥିବା ପୁଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୁଲିସ ମେମୋରିଆଲ ନିର୍ମାଣ କରିବେ, ଯାହା ତାଙ୍କ ତ୍ୟାଗ ଓ ବଳିଦାନ ପାଇଁ ହେବ ଶ୍ରେଷ୍ଠ ନିଦର୍ଶନ ।