କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଅପରାଧ ବୃଦ୍ଧି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଇନଶୃଙ୍ଖଳା ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି । ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାୟୀ, ୨୦୨୫ ଜାନୁଆରିରୁ ଜୁନ୍ ମଧ୍ୟରେ ୧, ୩୭୬ଟି ହତ୍ୟା ଘଟିଛି । ଜୁଲାଇ ୭ରୁ ୧୩ ମଧ୍ୟରେ ୧୩ଟି ହତ୍ୟା ରିପୋର୍ଟ ହୋଇଛି । ଜଣେ ଓକିଲ, ଶିକ୍ଷକ ଓ ବ୍ୟବସାୟୀଙ୍କ ସମେତ ଅନେକଙ୍କୁ ହତ୍ୟା କରାଯାଇଛି ।
ଗତ ଜୁଲାଇ ୧୮ ତାରିଖରେ ପାଟନାର ପାରସ ହସ୍ପିଟାଲରେ ପାରୋଲରେ ଥିବା ଅପରାଧୀ ଚନ୍ଦନ ମିଶ୍ରଙ୍କୁ ଦିବାଲୋକରେ ହତ୍ୟା ନୀତୀଶ କୁମାର ସରକାରଙ୍କୁ ଚାପରେ ପକାଇଛି । ଏନଡିଏ ସହଯୋଗୀ ଓ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, “ଅପରାଧୀଙ୍କ ମନୋବଳ ବଢ଼ିଗଲାଣି, ହେଲେ ପୁଲିସର ରଣନୀତି ବୁଝା ପଡ଼ୁନାହିଁ ।”
ବଢୁଥିବା ଅପରାଧକୁ ନେଇ ପୂର୍ବରୁ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରକୁ “ଅପରାଧର ରାଜଧାନୀ” କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ତେବେ ବିହାର ପୁଲିସ ଡିଜି ବିନୟ କୁମାର ଏଭଳି ଅପରାଧ ପାଇଁ ଜମି ବିବାଦ ଓ ଅବୈଧ ଅସ୍ତ୍ରଶସ୍ତ୍ର କାରବାରକୁ ଦାୟୀ କରି ତଦନ୍ତ ଚାଲିଥିବା କହିଛନ୍ତି। ତେବେ ନିର୍ବାଚନ ନିକଟତର ହେଉଥିବା ବେଳେ ଅପରାଧ ପ୍ରସଙ୍ଗ ଏନ୍ଡିଏ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଛି।