କନକ ବ୍ୟୁରୋ: ରାଜ୍ୟରେ ମୋହନ ସରକାରଙ୍କୁ ପୂରିଛି ୬ ମାସ। ଏହି ୧୮୦ ଦିନରେ ରାଜ୍ୟରେ ଅପରାଧ ବଢ଼ିଛି ନା କମିଛି, ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି। ଆଉ ତଥ୍ୟ ସାମନାକୁ ଆସିବା ପରେ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ।
- କାହା ସମୟରେ ହୋଇଛି କେତେ ଅପରାଧ?
- ବିଧାନସଭାରେ ହେଲା ହିସାବ-ନିକାସ
ରାଜ୍ୟରେ ଗତ ଜୁନରୁ ନଭେମ୍ବର ଭିତରେ ଅର୍ଥାତ ନୂଆ ସରକାର ସମୟରେ ଘଟିଥିବା ଅପରାଧ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୁନ୍ ୧୦, ୨୦୨୪ରୁ ନଭେମ୍ବର ୨୨, ୨୦୨୪ର ରିପୋର୍ଟ କହୁଛି, ରାଜ୍ୟରେ ମହିଳା ନିର୍ଯାତନା ମାମଲା ଅଧିକ ହୋଇଛି।
୬ ମାସର ଅପରାଧିକ ରେକର୍ଡ
- ମହିଳା ନିର୍ଯାତନା ମାମଲା: ୯୨୪୮
- ଯୌତୁକ ଜନିତ ନିର୍ଯାତନା: ୫୩୯୮
- ନାବାଳିକା ଦୁଷ୍କର୍ମ: ୭୬୯
- ଧର୍ଷଣ: ୫୦୯
- ହତ୍ୟା: ୪୫୯
- ମହିଳା ହତ୍ୟା: ୧୬୧
- ଧର୍ଷଣ ଉଦ୍ୟମ: ୪୧
- ଯୌତୁକଜନିତ ହତ୍ୟା: ୨୪
ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରି ଶାସକ ଦଳ କହିଛି, ପୂର୍ବ ସରକାରରେ ଅରାଜକତା ବଢିଥିଲା। ନୂଆ ସରକାର ପୋଲିସର ମନୋବଳ ବଢାଇ ଲୋକଙ୍କ ଭିତରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଛି।
ଗୋଟିଏ ପଟେ ରାଜ୍ୟରେ ଅପରାଧ ବଢ଼ିଥିଲେ ବି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ମୋହନ ସରକାର। କ୍ଷମତାକୁ ଆସିବାର ୫ ମାସ ଭିତରେ ୯୦ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର. ସର୍ବାଧିକ ରାଜସ୍ବ ବିଭାଗର ୨୦ଅଧିକାରୀ ଏବଂ ପଞ୍ଚାୟତିରାଜ ବିଭାଗର ୧୮ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି।