କନକ ବ୍ୟୁରୋ: ଗ୍ୟାଙ୍ଗ ୱାର ପାଇଁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ାରେ କିଛି ବର୍ଷ ହେଲା ଟିକେ ଶାନ୍ତ ପଡିଥିଲା। ହେଲେ, ଏବେ ପୁଣି ଜିଲ୍ଳାରେ ବଢ଼ି ଚାଲିଛି ଅପରାଧ। ସାମାନ୍ୟ କଳହରୁ ମୁଣ୍ଡ ଗଡୁଛି। ଆଉ କେତେବେଳେ ଖଣ୍ଡା ବୁଲୁଛି। ବିଗୁଡୁଛି ଜିଲ୍ଲାର ଆଇନଶୃଂଖଳା। ହେଲେ, ଅପରାଧକୁ ରୋକିବା ପାଇଁ ଜିଲ୍ଲା ପୋଲିସ ଯେମିତି ତତ୍ପରତା ଦେଖାଇବା କଥା ସେମିତି ଦେଖାଉନଥିବା ଅଭିଯୋଗ ହୋଇଛି। 

Advertisment

ନିକିରାଇ ଥାନା ଇନ୍ଦୁପୁର ହବେଲି ସାହିରେ ଘର ଆଗରୁ ଜଣେ ଲୋକଙ୍କୁ ଘୋଷାଡି ଆଣି ତଳେ ପକାଇ ମାଡ ମାରୁଛନ୍ତି ଆଉ ଜଣେ। ତଳେ ପଡିଥିବା ବ୍ୟକ୍ତି ନିସ୍ତେଜ ହୋଇ ଯିବା ପରେ ବି ପିଟି ଚାଲିଛନ୍ତି। ତଳେ ପଡିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପବିତ୍ର ବାରିକ। ଚିକିତ୍ସାଧୀନ ଅବସ୍ଥାରେ ଗତ ୨ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ବିଡମ୍ବନା ବିଷୟ ଏନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲେ ବି ହତ୍ୟାକାରୀକୁ ଧରୁନି ପୋଲିସ। 

ସେହିପରି ଗତ ୮ତାରିଖରେ ଗରାପୁର ସ୍ଥିତ ଏସପିଙ୍କ ବାସଭବନ ପାଖରେ ରାମଚନ୍ଦ୍ର ମଲ୍ଲିକ ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଅଭିଯୋଗ ଅନୁସାରେ କିଛି ଦୁବୃର୍ତ୍ତ ରାମଚନ୍ଦ୍ରଙ୍କୁ ଗଛରେ ବାନ୍ଧି ଅତି ନୃସଂଶ ଭାବରେ ପିଟି ପିଟି ହତ୍ୟା କରିଛନ୍ତି। ଏହି ମାମଲାରେ ୨ଜଣ ଗିରଫ ହୋଇଥିବାବେଳେ ଅନ୍ୟମାନେ ଫେରାର ଅଛନ୍ତି। ... 

ସେହିପରି ଚଉଦକୁଲାଟ ଅଂଚଳରେ ବାଲିଖାଦାନକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିଲା। ଯାହାର ପ୍ରତିବାଦରେ ପଟ୍ଟାମୁଣ୍ଡାଇରେ କିଛି ଯୁବକ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ।.. କିଛି ଦିନ ତଳେ ପୁରୁଷୋତ୍ତମପୁର ଗାଁରେ ରାଜନୈତିକ ଶତ୍ରୁତାରୁ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିଲା।

ତେବେ ଜିଲ୍ଳାରେ ଯେଉଁଭଳି ଅପରାଧ ବଢ଼ୁଛି ତାହା ଲୋକଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି କରୁଛି। ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।