କନକ ବ୍ୟୁରୋ: ଦଶହରା ପୂର୍ବରୁ ଅଶାନ୍ତ କଟକ ସହର । ଯାହା ଭାଇଚାରାର ସହରରେ ଭାଇଗିରିର ପ୍ରମାଣ ଦେଉଛି । କିଛି ଦିନ ଧରି ଶାନ୍ତ ହୋଇଥିବା ଏହି ସହରରେ ଏବେ ଦେଖିବାକୁ ମିଳିଛି ଗଣ୍ଡଗୋଳ ଆଉ ଗୁଳିମାଡ଼ର ଖବର । ଯାହା ଏବେ ପୁଲିସ ପାଇଁ ଟେନସନ ପାଲଟିଛି । କାରଣ ପୂଜା ଆସିଲେ ଅପରାଧ ଉପରମୁହାଁ ହୋଇଥାଏ ହେଲେ ଏବେ ପୂଜା ପୂର୍ବରୁ ଅପରାଧ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
କଟକ ଜୋବ୍ରା ବୋଟ୍ କ୍ଲବ ପାଖରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁ ଭିଡିଓରେ ଦେଖିବାକୁ ମିଳୁଛି କି ଦୁଇ ଗୋଷ୍ଠୀର ଯୁବକ ହାତାହାତି ହୋଇଛନ୍ତି । କିଛି ଯୁବକ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି । ତେବେ କାହିଁକି ଏହି ଗଣ୍ଡଗୋଳ ହୋଇଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ପୁଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଘଟଣାସ୍ଥଳରୁ ମାଲଗୋଦାମ ଥାନାର ଗୂରତା ମାତ୍ର 200 ମିଟର ।
ତେବେ ଏହି ଘଟଣା ପରେ କଟକ ନୂଆବଜାର ବ୍ରିଜ ଉପରେ ଗର୍ଜିଛି ଅପରାଧୀଙ୍କ ବନ୍ଧୁକ । ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ ଗୋଡ଼ରେ ବାଜି ହାଡଭାଙ୍ଗି ଜଙ୍ଘରେ ପଶିଯାଇଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍ସିବି ଟ୍ରମା କାଜୁଆଲଟିରେ ଭର୍ତ୍ତି କରିଛନ୍ତି । ଖପୁରିଆ ଅଞ୍ଚଳର ସଞ୍ଜୟ ବିଳମ୍ବିତ ରାତିରେ ନୂଆବଜାର ଫ୍ଲାଏ ଓଭରବ୍ରିଜ୍ ଉପରେ ଜଣେ ବନ୍ଧୁଙ୍କ ସହିତ ସାଇକେଲ୍ରେ ଘରକୁ ଫେରୁଥିଲେ । ଏହି ସମୟରେ କେତେଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁର୍ବୃତ୍ତମାନେ ତାଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ ମଧ୍ୟ କୌଣସି ପୂର୍ବ ଶତ୍ରୁତାକୁ ନେଇ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଘଟଣା ଘଟିବାର ୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ଘଟଣା ସଂପର୍କରେ ଅବଗତ ନଥିଲା କିମ୍ବା ଘଟଣାସ୍ଥଳରେ ପହଞ୍ଚିପାରି ନଥିଲା । ମେଡ଼ିକାଲ ସୂତ୍ରରୁ ଖବର ପାଇ ପୁଲିସ ଏସ୍ସିବିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂଜା ପୂର୍ବରୁ କଟକ ଏଭଳି ଅଶାନ୍ତ ହେବା ଆଉ ପୁଲିସର ଖାମଖିଆଲ ମନୋଭାବ ନିହାତି ଚିନ୍ତାର ବିଷୟ ପାଲଟିଛି ।