କନକ ବ୍ୟୁରୋ: ବଦଳୁଛି କ୍ୟାଲେଣ୍ଡର, ବଢୁଛି ଅପରାଧ । ବର୍ଷ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ବର୍ବରତାର ଚିତ୍ର । ଢେଙ୍କାନାଳ କାମାକ୍ଷାନଗର ଓ କେନ୍ଦ୍ରାପଡ଼ାରେ ହତ୍ୟାକାଣ୍ଡ ସହ ବଲାଙ୍ଗିର ଓ ଗଞ୍ଜାମରେ ଖଣ୍ଡା ବୁଲିଛି । ସେହିପରି ୨୦୨୩ ତୁଳନାରେ ୨୦୨୪ରେ ଟ୍ବିନ୍‌ ସିଟିରେ ଅପରାଧ ବଢ଼ିଛି ।

Advertisment

ନୂଆବର୍ଷରେ ବର୍ବରତା । ଢେଙ୍କାନାଳ ପରଜଙ୍ଗ ଥାନା ବସୋଇ ଗାଁରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଗାଁର ରାକେଶ ସେଠୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସେହି ଗାଁର ମନୁ ବିଶ୍ବାଳ । ଚିକେନ କିଣି ଘରକୁ ଯିବା ବାଟରେ ଟାଙ୍ଗିଆରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ହତ୍ୟାକାଣ୍ଡ ପରେ ଗାଁ ଦାଣ୍ଡରେ ପଡ଼ିଥିଲା ହାତ, ଗୋଡ଼ ସହ କଟା ମୁଣ୍ଡ । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି । 

କେନ୍ଦ୍ରାପଡ଼ାରେ ମଧ୍ୟ ଯୁବକଙ୍କୁ ମାରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବତ୍ତ । ଇଚ୍ଛାପୁର ଓଷ୍ଟପୁର ନିକଟ ପରିତ୍ୟକ୍ତ ପୋଖରୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା କାଳିଆ ନାଥଙ୍କ ମୃତଦେହ। ରାତିରେ କିଛି ଲୋକ କାଳିଆଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ବଲାଙ୍ଗିର ତୁଳସୀନଗରରେ ନୂଆବର୍ଷ ପାଳନ ବେଳେ ଖଣ୍ଡା ବୁଲିଛି । ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଚାଲିଥିବା ବେଳେ ୨ ଜଣ ଯୁବକ ବାଇକରେ ଆସି ଗଣ୍ଡଗୋଳ କରିଥିଲେ। ଏହାପରେ ଖଣ୍ଡା ବୁଲାଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ । ଖଣ୍ଡା ଚୋଟରେ ୨ ଜଣ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ରମ୍ଭା ଥାନା ଓଡ଼ିଆରପି କଲୋନୀରେ ମଧ୍ୟ ଗୁଳିମାଡ଼ ସହ ଛୁରାମାଡ଼ ଘଟଣା ସାମ୍ନାକୁ ଆସିଛି । ଆକ୍ରମଣରେ ୪ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବ ଶତ୍ରୁକୁ କେନ୍ଦ୍ର କରି ୪ ଜଣ ଯୁବକ ଆକ୍ରମଣ କରିଥିବା ବେଳେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । 

କ୍ୟାଲେଣ୍ଡର ବଦଳିବା ସହ ବଢୁଛି ଅପରାଧର ସଂଖ୍ୟା । କମିଶନରେଟ ପୋଲିସର ବାର୍ଷିକ ରିପୋର୍ଟରୁ ସାମ୍ନାକୁ ଆସିଛି ଏହି ତଥ୍ୟ ।
ଭୁବନେଶ୍ବରରେ ୨୦୨୩ରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିଲା 

୨୦୨୪ରେ ଏହି ସଂଖ୍ୟା ୧୪ ହଜାର ୪୧୬କୁ ବୃଦ୍ଧି ପାଇଛି 
୨୦୨୩ରେ ରାଜଧାନୀରେ ୫୨ଟି ହତ୍ୟାକାଣ୍ଡ ଘଟିଥିଲା
୨୦୨୪ରେ ଏହି ସଂଖ୍ୟା ୬୬ରେ ପହଞ୍ଚିଛି
କଟକରେ ମଧ୍ୟ ହତ୍ୟାକାଣ୍ଡ ମାମଲା ବଢ଼ିଛି
୨୦୨୩ରେ ୭୮ ଏବଂ ୨୦୨୪ରେ ୮୯ ହତ୍ୟାକାଣ୍ଡ ଘଟିଛି 

ଟ୍ବିନ୍‌ ସିଟି ସମେତ ରାଜ୍ୟରେ ଅପରାଧ ବଢୁଥିବା ବେଳେ ୨୦୨୫ରେ ଏହାର ମୁକାବିଲା ଓ ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି ।