କନକ ବ୍ୟୁରୋ: ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ବରର ଦୁଇ ଦୁଇଟି ସ୍ଥାନରେ ଆତଙ୍କ ରଚିଲେ ଦୁର୍ବୃତ୍ତ । ଶିଶୁଭବନ ଛକରେ ଗୋଟିଏ ଗୋଷ୍ଠୀ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣିଥିବା ବେଳେ ଗଭର୍ଣ୍ଣର ହାଉସ ଛକ ନିକଟରେ ଆଉ ଜଣଙ୍କୁ ହାଣିଛନ୍ତି ।
ଶିଶୁଭବନ ଟ୍ରାଫିକ ଛକରେ ଟ୍ୟାକ୍ସି ଗାଡ଼ି ନମ୍ବର ଥିବା ଏକ ସ୍ବିଫ୍ଟ କାରରେ ଆସି କିଛି ଯୁବକ ଆତଙ୍କ ଖେଳାଇ ଜଣଙ୍କୁ ହାଣିଛନ୍ତି ଓ ଅନ୍ୟପଟେ ଗଭର୍ଣ୍ଣର ହାଉସ ଛକ ନିକଟରେ ୫ଟି ବାଇକରେ ୧୦ରୁ ୧୫ଜଣ ଆସି ଯୁବକଙ୍କୁ ଖଣ୍ଡା ଓ କାତିରେ ଆକ୍ରମଣ କରିଛନ୍ତି । ଶିଶୁଭବନ ଛକରେ ୭ରୁ ୮ଜଣ ଯୁବକ ରାସ୍ତା ଉପରେ ବାଇକକୁ ଧକ୍କା ଦେବା ପରେ, ହାତରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ । ଉଭୟ ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଜଣାପଡିଛି । ଆହତଙ୍କ ଭିତରୁ ଜଣେ ଗୁରୁତର ଥିବା ବେଳେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଆଉ ଜଣେ ଆହତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁଇଟି ଘଟଣାରେ ହାଣିସାରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।