କନକ ବ୍ୟୁରୋ : ୨ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ନବ ଦାସ ହତ୍ୟାକାଣ୍ଡ ତଦନ୍ତ । ଆଜି ଲଗାତର ଦ୍ୱିତୀୟଦିନ ପାଇଁ ନବଙ୍କ ପତ୍ନୀ ମିନତୀ ଦାସଙ୍କ ବୟାନ ରେକର୍ଡ କରିଛି କ୍ରାଇମ୍‌ବ୍ରାଞ୍ଚ । ପୂର୍ବରୁ ସ୍ବାମୀଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ଥିବା ମିନତୀ ଲିଖିତ ବୟାନ ଦେଇଥିଲେ । ଏଥର କ୍ରାଇମ୍‌ବ୍ରାଞ୍ଚକୁ ଆଉ କ’ଣ ନୂଆ କହିଛନ୍ତି, ତାକୁ ନେଇ ବଢ଼ିଛି ଉତ୍କଣ୍ଠା । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବିମାନବନ୍ଦରରେ ଖୋଳତାଡ଼ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଡାକ୍ତରଙ୍କୁ ଜେରା କରିବା ସହ ଘଟଣା ଦିନର ବିମାନ ତଥ୍ୟ ମାଗିଛି ତଦନ୍ତକାରୀ ସଂସ୍ଥା । ଫାଇନାଲ୍‌ ଚାର୍ଜସିଟ୍‌ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚର ଏହି ତନାଘନା, ଶିଥିଳ ପଡ଼ିଥିବା ନବ ଦାସ ହତ୍ୟାକାଣ୍ଡ ମାମଲାକୁ ପୁଣି ରୋଚକ କରିଛି । 

Advertisment

ସିବିଆଇ ତଦନ୍ତ ସପକ୍ଷରେ ଜୟନାରାୟଣ
ନବଙ୍କ ପରିବାର ସହ ସ୍ୱର ମିଳାଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି । ସେ ତାଙ୍କ ପୂର୍ବ ଦାବିରେ କାଏମ ଥିବା କହିଛନ୍ତି । ସେପଟେ ବିଜେଡି କହିଛି ପରିବାର ଲେଖି ଦେବାର ଆବଶ୍ୟକତା ନାହିଁ, ସରକାର ଚାହିଁଲେ ସିବିଆଇ ତଦନ୍ତ କରିପାରିବେ । କଂଗ୍ରେସ୍‌ କହିଛି, ସରକାର ବଦଳିଲେ ବଦଳିବ କି ତଦନ୍ତର ଦିଗ? ସେପଟେ ସାନି ତଦନ୍ତରେ ଆଉ କାହାର ପାଳି ପଡ଼ିବ?  ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଗଡୁଛି ସମୟ, ତେଜୁଛି ରାଜନୀତି । ଏବେ ବି ହତ୍ୟାକାଣ୍ଡର କାରଣ ଜଣାପଡ଼ିନି । ଜେଲରେ ଦିନ କାଟୁଛି ଅଭିଯୁକ୍ତ ଗୋପାଳ ଦାସ । ତେବେ ନୂଆ ଅଧିକାରୀଙ୍କ ନୂଆ ତଦନ୍ତ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଖୋଲିବ ନା, ପୁଣି ଏକ ନୂଆ ବିବାଦର ସୂତ୍ରପାତ ହେବ, ତା ଉପରେ ରହିଛି ସମସ୍ତଙ୍କର ନଜର ।