କନକ ବ୍ୟୁରୋ: ସଂସଦରେ ଠେଲାପେଲା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଦିଲ୍ଲୀ ପୁଲିସ ଏବେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଦେଇଛି । ଏବେ କଂଗ୍ରେସ ଓ ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି । ଏପରି କି ଆଗକୁ କ୍ରାଇମବ୍ରାଞ୍ଚ ସଂସଦ ପରିସରରେ କ୍ରାଇମସିନର ରିକ୍ରିଏସନ କରିପାରେ ବୋଲି କୁହାଯାଉଛି । ଠେଲାପେଲା ଘଟଣାରେ ବିଜେପିର ଦୁଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମହେଶ ରାଜପୁତଙ୍କ ବୟାନ ରେକର୍ଡ କରାଯିବ। ସେହିପରି ଘଟଣାର ସିସିଟିଭି ଫୁଟେଜ ଓ ମୋବାଇଲ ଭିଡିଓର ଖୋଳତାଡ କରାଯିବ। ବିଭିନ୍ନ ଗଣମାଧ୍ୟମ କ୍ୟାମେରାରେ କଏଦ ଭିଡିଓ ଫୁଟେଜକୁ ମଧ୍ୟ ପ୍ରମାଣ ଭାବେ ସଂଗ୍ରହ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଲୋକସଭା ବାଚସ୍ପତିଙ୍କ ଅନୁମତି କ୍ରାଇମବ୍ରାଞ୍ଚ ଲୋଡିବ।

Advertisment

ବୟାନ ରେକର୍ଡ ଓ ଭିଡିଓ  ଫୁଟେଜ ମିଳିବା ପରେ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରାଯିବା ସମ୍ଭାବନା ରହିଛି। ରାହୁଲ ଗାନ୍ଧୀ ସମେତ ଅନ୍ୟ ସାଂସଦଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ ପଠାଇବ। ବୟାନ ରେକର୍ଡ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରାଯିବ । ବିଜେପି ରାହୁଲ ଗାନ୍ଧୀଙ୍କ ନାଁରେ ଏତଲା ଦେଇଛି । ଦୁଇ ବିଜେପି ସାଂସଦଙ୍କୁ ଠେଲି ରାହୁଲ ଗାନ୍ଧୀ ଆହତ କରିଥିବା ଏତଲାରେ ଦର୍ଶାଯାଇଛି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏତଲାରେ ଅଭିଯୋଗ ରହିଛି ମଲ୍ଲିକାର୍ଜୁନ ଖଡଗେଙ୍କୁ ବିଜେପି ସାଂସଦ ଠେଲାପେଲା କରିଛନ୍ତି । କଂଗ୍ରେସ ଏତଲା ଆଧାରରେ ଏସସି ଏସଟି ଆକ୍ଟରେ ରୁଜୁ ହୋଇଛି ମାମଲା। କ୍ରାଇମବ୍ରାଞ୍ଚ ଏହି ଦୁଇଟି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ରାଜ୍ୟସଭାରେ ଅମିତ ଶାହା ଆମ୍ୱେଦକରଙ୍କୁ ନେଇ ବିବାଦୀୟ ବୟାନ ଦେବା ପରଠୁ ଆରମ୍ଭ ହୋଇଥିବା ଏହି ବିବାଦ ପ୍ରତିବାଦ, ବିକ୍ଷୋଭରୁ ହିଂସାତ୍ମକ ହୋଇ ଠେଲାପେଲା ଯାଏଁ ପହଞ୍ଚିଥିଲା।

ଅନ୍ୟପଟେ ସଂସଦ ପରିସରରେ ଠେଲାପେଲା ଘଟଣାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଜାତୀୟ ମହିଳା କମିଶନ। ରାଜ୍ୟସଭା ସାଂସଦ ଫାଙ୍ଗନ କୋନୟକଙ୍କ ଅଭିଯୋଗକୁ ଆଧାର କରି ମହିଳା କମିଶନ ଏଭଳି ପଦକ୍ଷେପ ନେଇଛନ୍ତି। ସଂସଦ ସମୟରେ ଠେଲାପେଲା ଘଟଣା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ବିଜେପିର ମହିଳା ରାଜ୍ୟସଭା ସାଂସଦ ଫାଙ୍ଗନ କୋନୟକ। ଏଭଳି ଘଟଣାର ପୁନରାବୃତ୍ତି ନହେବା ଏବଂ ମହିଳା ସାଂସଦଙ୍କ ସମ୍ମାନ ରକ୍ଷା ପାଇଁ ତୁରନ୍ତ ଲୋକସଭା ବାଚସ୍ପତି ବିରୋଧୀ ଦଳ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଏନସିଡବ୍ଲୁ ଶୁକ୍ରବାର ଦିନ ଏକ ବିବୃତ୍ତିରେ କହିଛନ୍ତି।

ତେବେ ସଂସଦ ପରିସରରେ ଘଟିଥିବା ଠେଲାପେଲା ମାମଲାରେ ଗୁରୁବାର ବିଜେପି ଦିଲ୍ଲୀ ପୁଲିସ ନିକଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ଭାରତୀୟ ସମ୍ବିଧାନ ନିର୍ମାତା ବିଆର୍ ଆମ୍ବେଦକରଙ୍କୁ ଅପମାନିତ କରିବା ମାମଲାରେ ଗୁରୁବାର ସଂସଦର ମକର ଗେଟ୍ ନିକଟରେ କଂଗ୍ରେସ ଓ ବିଜେପି ସାଂସଦମାନେ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଠେଲାପେଲା ହେବାରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ବିଜେପି ପୁଲିସରେ ଅଭିଯୋଗ କରିଥିଲା। ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା ଦାୟର କରାଯାଇଥିଲା।