କନକ ବ୍ୟୁରୋ : ପୁଲିସ ଏସ୍ଆଇ ପରୀକ୍ଷା ମହାଦୁର୍ନୀତିର ଖୋଲୁଛି ଗୁମର । ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି । ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । କ୍ରାଇମ୍ବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ଚଳାଇଛି ଖୋଳତାଡ଼ । ଘଟଣାରେ ପୁଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରାକେଟ୍ ପଛର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛନ୍ତି । କ୍ରାଇମ୍ବ୍ରାଞ୍ଚ ଟିମ୍ ସିଲିକନ୍ ଟେକ୍ ଲ୍ୟାବ୍ର ମାଲିକଙ୍କ ସମେତ ୫ ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି । ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରସ୍ଥିତ ପଞ୍ଚସଫ୍ଟ ଏବଂ ଅନ୍ୟ ୩ଟି ଅଫିସରେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସକୁ ସିଲ୍ କରିଛି ।
ରାଜନୈତିକ ଲିଙ୍କ୍ ନେଇ ଖୋଲୁଛି ଗୁମର
ପଞ୍ଚସଫ୍ଟ ସମେତ ୫ ଅଫିସ୍ ସିଲ୍, ମାଷ୍ଟରମାଇଣ୍ଡ ଫେରାର୍
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୁଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ଦେଇଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଘୋଟାଲା ପାଇଁ ଯୋଜନା କରିଥିଲେ । ଖଣ୍ଡଗିରି ଅଞ୍ଚଳର ମୁନା ମହାନ୍ତିଙ୍କୁ ରାକେଟ୍ରେ ସାମିଲ୍ କରି ଆଶାୟୀଙ୍କୁ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ। ତେବେ ମୁନା ବିଭିନ୍ନ ମାଧ୍ୟମରେ ଆଶାୟୀଙ୍କ ସହ ଯୋଗାଯୋଗ କରି ଆଗୁଆ ଅରିଜିନାଲ୍ ସାର୍ଟିଫିକେଟ ହାତାଉଥିଲା। ଏହାକୁ ସେ ଶଙ୍କର ସହ ଯୋଗାଯୋଗ କରି ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା । ଯାହାର ପ୍ରମାଣ ପୁଲିସ ହାତରେ ଲାଗିଛି । ଏହାଛଡ଼ା ଗିରଫ ୧୧୭ ଜଣଙ୍କ ଭିତରୁ ୯ ଜଣଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସବୁଠୁ ବଡ଼ କଥା ହେଲା ଏହି ୯ ଜଣଙ୍କ ମଧ୍ୟରୁ ପୂର୍ବତନ ଜେଲ୍ ଡିଆଇଜିଙ୍କ ପୁଅ ରହିଛନ୍ତି । ସଂପୃକ୍ତ ଡିଆଇଜି ୪ ମାସ ତଳେ ଚାକିରିରୁ ଅବସର ନେଇଛନ୍ତି ।