କନକବ୍ୟୁରୋ : ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ।  ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାରର ସଦସ୍ୟମାନଙ୍କୁ ପଚରାଉଚରା କରୁଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌  । ଗୋପାଳଙ୍କ ଭାଇ, ପୁଅ ଓ ପୁତୁରାଙ୍କୁ ଜେରା କରାଯାଉଛି ।  ଏହି ମାମଲାରେ ପୂର୍ବରୁ ଗୋପାଳଙ୍କ  ଭାଇ, ପୁତୁରା,  ପୁଅ  ଓ ପତ୍ନୀଙ୍କ ବୟାନ ରେକର୍ଡ କରାଯାଇଥିଲା । କିନ୍ତୁ ହତ୍ୟାକାଣ୍ଡ ପଛରେ ଛପି ରହିଥିବା ଷଡଯନ୍ତ୍ର ସମ୍ପର୍କିତ ଅନେକ ପ୍ରଶ୍ନକୁ ସେତେବେଳେ ଅଣଦେଖା କରାଯାଇଥିଲା  ବୋଲି ଅନୁମାନ କରାଯାଉଛି ।

Advertisment

ତେଣୁ ତଦନ୍ତକାରୀ ଟିମ୍ ଏବେ ସେ ସବୁ ଦିଗକୁ ନେଇ ପୁଣି ଥରେ ପଚରାଉଚରା କରୁଛି  । ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି  । ଗୋପାଳଙ୍କ ଭାଇ ସତ୍ୟ ନାରାୟଣଙ୍କୁ ବ୍ରହ୍ମପୁର ଟାଉନ ଥାନାକୁ ଡାକି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ସତ୍ୟନାରାୟଣ ଝାରସୁଗୁଡ଼ାରେ ହୋଟେଲ କରିଥିଲେ  ।  

କିନ୍ତୁ ହତ୍ୟାକାଣ୍ଡ ପୂର୍ବରୁ  ସେ ହୋଟେଲ ବନ୍ଦ କରିବା ସହ ଝାରସୁଗୁଡ଼ା ଛାଡ଼ିଦେଇଥିଲେ ।  ତେଣୁ ସତ୍ୟନାରାୟଣ  ଏହି ହତ୍ୟାକାଣ୍ଡ ବାବଦରେ ପୂର୍ବରୁ ଖବର ପାଇଥିଲେ ବୋଲି ସନ୍ଦେହ କରାଯାଉଛି  ।   ସେନେଇ ତାଙ୍କୁ ଘନଘନ ଜେରା କରାଯାଇଛି । ସେହିପରି ଗୋପାଳଙ୍କ ପୁତୁରା ପ୍ରଦୀପ ଦାସ ଏବଂ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି । ପୂର୍ବରୁ ଗୋପଳଙ୍କ ପତ୍ନୀଙ୍କ ବୟାନ ରେକର୍ଡ ହୋଇଥିଲେ ମଧ୍ୟ ଆଉ ଥରେ ତାଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।  ସେପଟେ ଅଭିଯୁକ୍ତ ଗୋପାଳଙ୍କ ମୋବାଇଲ ପୁଣି ଥରେ ଯାଞ୍ଚ କରାଯାଉଛି ।  ଘଟଣାର ୬ମାସ ପୂର୍ବରୁ କଲ ଡିଟେଲ ସଂଗ୍ରହ କରାଯାଉଛି । ଏହି ଅବଧି ଭିତରେ ଗୋପାଳ ସହ କଥା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଛି ନମ୍ବର ସନ୍ଦେହ ଘେରକୁ ଆସିଛି ।