କନକ ବ୍ୟୁରୋ: ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ସତ ଜାଣିବାକୁ ତଦନ୍ତକାରୀ ଟିମ୍ କିଛି ପିଲାଙ୍କୁ ଜେରା କରିଛି । ସିସିଟିଭି ଯାଞ୍ଚ ସହ ଅନ୍ୟ ଦିଗ ଉପରେ ବି ତଦନ୍ତ କରିଛି । ତେବେ ଚିନ୍ତାର ବିଷୟ ହେଉଛି, ଏଯାଏ ହଷ୍ଟେଲକୁ ଫେରିନାହାନ୍ତି ଛାତ୍ରୀ, ଅଧା ବେଡ୍ ଖାଲିପଡ଼ିଛି ।
- ବାଲେଶ୍ବରରେ ଡେରା ପକାଇଛି କ୍ରାଇମ୍ବ୍ରାଞ୍ଚ
- ସିସିଟିଭି ଯାଞ୍ଚ କଲେ, ଦୂରତା ମାପିଲେ
ବାଲେଶ୍ବର ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାର ସତ ଜାଣିବାକୁ ବାଲେଶ୍ବରରେ ଷଷ୍ଠ ଦିନ ପାଇଁ କ୍ରାଇମ୍ବ୍ରାଞ୍ଚ ଟିମ୍ । କଲେଜରେ ଯାଞ୍ଚ ପରେ ଯାଞ୍ଚ ଚାଲିଛି । କିଛି ପିଲାଙ୍କୁ ଜେରା ହୋଇଛି , ଘଟଣାସ୍ଥଳକୁ ବି ଯାଇଛି ତଦନ୍ତକାରୀ ଦଳ । ସିସିଟିଭି ବି ଯାଞ୍ଚ ହୋଇଛି । ତେବେ ଘଟଣା ଦିନ କ’ଣ କେମିତି ଘଟିଲା ସେନେଇ ମାପକରି ଦୂରତା ମାପିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣା ପରେ କେଉଁପଟେ ଛାତ୍ରୀ ଯାଇଥିଲେ ଓ ଆମ୍ବୁଲାନ୍ସ କେଉଁପଟେ ଯାଇଥିଲା ତାର ବି ତନ୍ନ ତନ୍ନ ଯାଞ୍ଚ ହୋଇଛି । ତଦନ୍ତ ଚାଲିଛି ବୋଲି କହିଛନ୍ତି ତଦନ୍ତ ଅଧିକାରୀ ।
- ଭୟରେ ଫକୀରମୋହନ କଲେଜ ଛାତ୍ରୀ
- ଖାଲି ପଡ଼ିଛି ଅଧା ହଷ୍ଟେଲ୍
ଫକୀରମୋହନ ଛାତ୍ରୀ ଆତ୍ମାହୁତି ଘଟଣାକୁ ୧୧ ଦିନ ବିତିଲାଣି । କ୍ଲାସ୍ ଆରମ୍ଭ ହେଲାଣି । ନାମଲେଖା ବି ଚାଲିଛି, କିନ୍ତୁ କଲେଜରେ ହୋଇଥିବା ଘଟଣାକୁ ନେଇ ଏବେ ବି ଭୟରେ ଛାତ୍ରୀ । ଛାତ୍ରୀ ହଷ୍ଟେଲରେ ଅଧା ବେଡ୍ ଫାଙ୍କା ପଡ଼ିଛି । ପିଲା ଘରକୁ ଯାଇଛନ୍ତି ଫେରିନାହାନ୍ତି । ଯେଉଁମାନେ ଆସିଛନ୍ତି ଟିକିଏ ଭୟ ଲାଗୁଥିଲା କହୁଛନ୍ତି । କିଛି ସମସ୍ୟା ଅନୁଭବ କଲେ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଜଣାଇବାକୁ କୁହାଯାଇଛି । ଏପଟେ ବାଲେଶ୍ବର ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଏହାରି ମଧ୍ୟରେ ସମସ୍ତେ ଚାହିଁ ବସିଛନ୍ତି କ୍ରାଇମବ୍ରାଞ୍ଚ କେବେ ତଦନ୍ତ ସାରିବ ଓ ନିଷ୍କର୍ଷ କେବେ ବାହାରିବ ।