କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସାନି ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ଆଜି ଝାରସୁଗୁଡ଼ା ଛାଡିଛି । ୫ ଦିନ ଛାନଭିନ୍ ପରେ ଝାରସୁଗୁଡ଼ାରୁ ଫେରିଛି ତଦନ୍ତକାରୀ ଦଳ । ଏପଟେ ଆଇପିଏସ ଅରୁଣ ବୋଥ୍ରାଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା ବଢିଛି ।
ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରା ସୋସିଆଲ ମିଡିଆ ପୋଷ୍ଟରେ ଯାହା କହିଛନ୍ତି, ତା ଅପେକ୍ଷା ତାଙ୍କ ଇଙ୍ଗିତ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଶ୍ନ ଉଠୁଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ପ୍ରସଙ୍ଗ ଉଠାଇ ନବ ଦାସ ହତ୍ୟା ମାମଲା ଆଡକୁ ସେ ଇଙ୍ଗିତ କରୁଛନ୍ତି କି ? କାରଣ ୪ବର୍ଷ ତଳେ ସୁଶାନ୍ତଙ୍କୁ ହତ୍ୟା ଅଭିଯୋଗରେ ମିଡିଆ, ସୋସିଆଲ ମିଡିଆ ବିତର୍କ ହେଉଥିଲା ଓ ସମାଲୋଚନାର ଶିକାର ହେଉଥିଲା ମୁମ୍ୱାଇ ପୋଲିସ । ଏବେ ଯେମିତି ନବ ଦାସ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ହେଉଛି । ତେଣୁ ସୁଶାନ୍ତ ସିଂ ରାଜପୁତ ମାମଲାରେ ଯେମିତି ମୁମ୍ୱାଇ ପୋଲିସର ତଦନ୍ତ ଠିକ୍ ଥିଲା, ଯାହା ସିବିଆଇର କ୍ଲୋଜର ରିପୋର୍ଟରେ ପ୍ରମାଣିତ ହୋଇଛି । ଠିକ୍ ସେମିତି ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ସଠିକ୍ ବୋଲି କହିବାକୁ ଚାହୁଁଛନ୍ତି କି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ।
ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ୍ ଟିମ୍
ଷଡ଼ଯନ୍ତ୍ରର ସୁରାକ୍ ପାଇଲା କି କ୍ରାଇମବ୍ରାଞ୍ଚ୍?
ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ଭିତରେ ସାନି ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ । ଚର୍ଚ୍ଚା ହେଲା ହତ୍ୟା ପଛର ଷଡ଼ଯନ୍ତ୍ର ଓ ଷଡ଼ଯନ୍ତ୍ର ପଛର ଅଜ୍ଞାତ ବ୍ୟକ୍ତିଙ୍କୁ ସାମ୍ନାକୁ ଆଣିବା ପାଇଁ ଆରମ୍ଭ ହୋଇଛି ଛାନଭିନ୍ । ଝାରସୁଗୁଡ଼ାରେ ଡେରା ପକାଇଥିଲା ତଦନ୍ତକାରୀ ଦଳ । ଘଟଣାସ୍ଥଳକୁ ଘନଘନ ଗସ୍ତ ସହ ମାରାଥନ ଜେରା ଆରମ୍ଭ ହୋଇଥିଲା ।
- ୫ ଦିନରେ ୧୫ ଜଣଙ୍କୁ ଜେରା ଓ ବୟାନ ରେକର୍ଡ
- ନବ ଦାସଙ୍କ ପତ୍ନୀ ମିନତି ଦାସ, ଝିଅ ଦୀପାଳି ଓ ପୁଅ ବିଶାଳଙ୍କ ବୟାନ ରେକର୍ଡ
- ବିମାନବନ୍ଦର କର୍ମଚାରୀ, ହସ୍ପିଟାଲ ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କୁ ଜେରା
- ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଥିବା ସରୋଜ ସା ଓ ଜୀବନ ନାୟକଙ୍କ ବୟାନ ରେକର୍ଡ
ଆଗକୁ ଅଭିଯୁକ୍ତ ଗୋପାଳ ଦାସକୁ ଜେରା କରିପାରେ କ୍ରାଇମ୍ବ୍ରାଞ୍ଚ । ଅନ୍ୟପଟେ ଗୋପାଳର ଓକିଲ, ତଦନ୍ତକୁ ନେଇ ସାଙ୍ଘାତିକ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହିଁ ହେଉନାହିଁ । ୫ ଦିନରେ ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ାରୁ ପେଡି ପୁଟୁଳି ଉଠାଇ ଚାଲି ଆସିଛି । ପ୍ରଶ୍ନ ଉଠୁଛି କ୍ରାଇମବ୍ରାଞ୍ଚ୍ ଯାହା ଖୋଜୁଥିଲା ତାହା ପାଇଗଲା କି ? ହତ୍ୟା ପଛର ଷଡ଼ଯନ୍ତ୍ର ନେଇ କୌଣସି ସୁରାକ୍ ମିଳିଗଲା କି? ପୂର୍ବରୁ ତଦନ୍ତ ପରେ ଯେଉଁ ପ୍ରଶ୍ନ କ୍ରାଇମବ୍ରାଞ୍ଚକୁ ଆନ୍ଦୋଳିତ କରୁଥିଲା, ୫ ଦିନର ଯାଞ୍ଚରେ ଟିମକୁ ଉତ୍ତର ମିଳିଗଲା କି ?