କନକ ବ୍ୟୁରୋ : ରାଜଧାନୀରେ ଏବେ ଚର୍ଚ୍ଚାରେ ସେନା ଅଧିକାରୀ ଓ ପୁଲିସ କଳି । ଡିଜିପିଙ୍କ ନିର୍ଦ୍ଦେଶ ପରେ ଘଟଣା ଏବେ କ୍ରାଇମବ୍ରାଞ୍ଚରେ ପହଞ୍ଚିଛି । କ୍ରାଇମବ୍ରାଞ୍ଚର ଏକ ଟିମ ଘଟଣା ଘଟିଥିବା ଭରତପୁର ଥାନାରେ ପହଞ୍ଚି ପୁଲିସ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି । ସେପଟେ ଆସନ୍ତାକାଲି ହାଇକୋର୍ଟରେ ମାମଲାର ଶୁଣାଣି ହେବ ।

ଚର୍ଚ୍ଚାରେ ଭୁବନେଶ୍ବରର ଭରତପୁର ଥାନା । ଜଣେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ବାନ୍ଧି ହରଡ଼ଘଣାରେ ପୁଲିସ । ପୁଲିସ ଜାରି କରିଥିବା ପ୍ରେସ ରିଲିଜ ଅନୁସାରେ, ଗତ ୧୫ ତାରିଖ ଭୋର ୩ଟାରେ ଥାନା ଭିତରେ ଅଙ୍କିତା ପ୍ରଧାନ ନାମକ ଯୁବତୀ ଆତଙ୍କ ଖେଳାଇଥିଲେ । ଅଧରାତିରେ ମହିଳା ଅଫିସରଙ୍କୁ ଦୁର୍ବ୍ୟବହାର କରିବା ସହ ଥାନାରେ ହଙ୍ଗାମା କରିଥିଲେ । ଜିନିଷପତ୍ର ଭଙ୍ଗାରୁଜା କରିବା ସହ ଅଫିସରଙ୍କୁ କାମୁଡ଼ି ପକାଇଥିଲେ । ଯେଉଁଥିପାଇଁ ଭରତପୁର ପୁଲିସ ଏକ ମାମଲା ରୁଜୁ କରି ଅଙ୍କିତା ପ୍ରଧାନଙ୍କୁ ଗିରଫ କରି ଜେଲ ପଠାଇଛି । ଆଉ ଅଙ୍କିତାଙ୍କ ସହ ଥିବା ମେଜର ଗୁରବଂଶ ସିଂଙ୍କୁ ଥାନାରୁ ବେଲ୍ ଦେଇ ବିଦା କରିଦେଇଛି ପୁଲିସ । ହେଲେ ପୁଲିସ ଘଟଣାକ୍ରମକୁ ଅଲଗା ଦର୍ଶାଇଥିବା ନେଇ ଅଭିଯୋଗ କରିଛନ୍ତି ଗୁରବଂଶ । ସେନା ଅଧିକାରୀ ଏନେଇ ଅଭିଯୋଗ କରିବା ପରେ, କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । 

ସେପଟେ ମେଜର ଗୁରବଂଶ ସିଂଙ୍କ ଅଭିଯୋଗ, ପୂରା ଘଟଣାର ମୋଡ଼କୁ ବଦଳାଇ ଦେଇଛି । ରାତିରେ ଭରତପୁର ଅଞ୍ଚଳ ଦେଇ ଫେରୁଥିବା ବେଳେ କିଛି ଲୋକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଗୁରବଂଶ ଓ ତାଙ୍କ ବାନ୍ଧବୀ ଅଭିଯୋଗ ପାଇଁ ଥାନାରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଅଫିସରମାନେ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ସହ ସେଲରେ ଭର୍ତ୍ତି କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ତେବେ ସିଆଇଡି ଟିମର ଡିଏସପି ନରେନ୍ଦ୍ର କୁମାର ବେହେରା, ତାଙ୍କ ୫ ଜଣିଆ ଟିମ୍ ନେଇ ପୂରା ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି । ୪ ଘଣ୍ଟାର ତଦନ୍ତ ବେଳେ ଏକାଧିକ ପୁଲିସ କର୍ମଚାରୀଙ୍କ ବୟାନକୁ ରେକର୍ଡ କରାଯାଇଛି । ଏବଂ ସବୁଠୁ ବଡ଼ କଥା ହେଉଛି, ଏହି ଥାନାରେ ଆଦୌ ସିସିଟିଭି ନାହିଁ । ପୂରା ଘଟଣାକ୍ରମ କ’ଣ ଘଟିଥିଲା, ସେ ନେଇ ଖୋଳତାଡ଼ ପରେ ସ୍ପଷ୍ଟ ହେବ । ଅନ୍ୟପଟେ ଏହି ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି । ଏହି ଘଟଣାରେ ଯୁବତୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ପଠାଇବାକୁ କୋର୍ଟ କହିଛନ୍ତି। ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ କୋର୍ଟ ।