କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ED ଅଫିସ୍‌ରେ ହାଜର ହୋଇଛନ୍ତି । ଯେଉଁଠାରେ ତାଙ୍କୁ ଅନଲାଇନ୍ ବେଟିଂ ଆପ୍ ମାମଲାରେ ପଚରାଉଚରା କରାଯିବ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନଲାଇନ୍ ବେଟିଂ ଆପ୍ 'ୱାନ୍‌ଏକ୍ସବେଟ୍' (OneXBet) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗତକାଲି (ସୋମବାର) ପୂର୍ବତନ ଭାରତୀୟ କ୍ରିକେଟର ରୋବିନ ଉଥାପ୍ପାଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିଥିଲା । EDର ଅଧିକାରୀମାନଙ୍କ ସୂଚନା ଅନୁସାରେ , ରୋବିନ ଉଥାପ୍ପା ଗତକାଲି ସକାଳ ପ୍ରାୟ ୧୧ଟାରେ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ସନ୍ଧ୍ୟା ସାଢ଼େ ୭ଟାରେ ସେଠାରୁ ବାହାରିଥିଲେ ।

Advertisment

ରାଇନା, ଧାୱନଙ୍କୁ ମଧ୍ୟ କରାଯାଇଛି ପଚରାଉଚରା 

ଏହାପୂର୍ବରୁ, ଏହି ମାମଲାରେ ଏଜେନ୍ସି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା, ଶିଖର ଧାୱନଙ୍କୁ ପଚରାଉଚରା କରିସାରିଛି । ଏଥିସହ ଅଭିନେତ୍ରୀ ତଥା ଟିଏମ୍‌ସିର ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ବଙ୍ଗୀୟ ଅଭିନେତା ଅଙ୍କୁଶ ହାଜ୍ରାଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏହା ପରେ ED ଏହି ମାମଲାରେ ଅଧିକ ପଚରାଉଚରା ପାଇଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଏବଂ ଅଭିନେତା ସୋନୁ ସୁଦଙ୍କୁ ଡକାଇଥିଲା । ଏହି କ୍ରମରେ ଯୁବରାଜ ସିଂହଙ୍କୁ ED ପ୍ରଶ୍ନ ପଚାରିବ । ଏହା ପରେ ସେପ୍ଟେମ୍ବର ୨୪ରେ ଅଭିନେତା ସୋନୁ ସୁଦଙ୍କୁ ମଧ୍ୟ ED ପଚରାଉଚରା କରିବ ।

'ୱାନ୍‌ଏକ୍ସବେଟ୍' ଆପ୍ କ'ଣ, ଯାହାର ଏତେ ଚର୍ଚ୍ଚା

କମ୍ପାନି ଅନୁଯାୟୀ, 'ୱାନ୍‌ଏକ୍ସବେଟ୍' ଏକ ବିଶ୍ୱସ୍ତରୀୟ ମାନ୍ୟତା ପ୍ରାପ୍ତ ବେଟିଂ ଆପ୍ , ଯାହାର ବେଟିଂ ବ୍ୟବସାୟରେ ୧୮ ବର୍ଷର ଅଭିଜ୍ଞତା ରହିଛି । ବ୍ରାଣ୍ଡର ଗ୍ରାହକମାନେ ହଜାର ହଜାର କ୍ରୀଡ଼ା ଇଭେଣ୍ଟ ଉପରେ ବାଜି ଲଗାଇ ପାରିବେ । କମ୍ପାନୀର ୱେବସାଇଟ୍ ଏବଂ ଆପ୍ ୭୦ଟି ଭାଷାରେ ଉପଲବ୍ଧ । ଆଗାମୀ ଦିନରେ ଏଜେନ୍ସି ଦ୍ୱାରା ଅଧିକ ଖେଳାଳି ଏବଂ ପ୍ରସିଦ୍ଧ ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯିବ ବୋଲି ଆଶା କରାଯାଉଛି । କେନ୍ଦ୍ର ସରକାର ନିକଟରେ ଅନଲାଇନ୍ ଗେମିଂ ଉପରେ ପ୍ରତିବନ୍ଧ ଲଗାଇଛନ୍ତି ।