କନକ ବ୍ୟୁରୋ: ଇଡି ନିକଟରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା । ଅନଲାଇନ୍ ବେଟିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରୁଛି । ଯୁବରାଜ ସିଂହ, ଶିଖର ଧାୱନ ଏବଂ କିଛି ଫିଲ୍ମ ଷ୍ଟାରଙ୍କୁ ମଧ୍ୟ ପଚରାଉଚରା କରସାରିଛି ଇଡି । ସୁରେଶ ରାଇନାଙ୍କ ଉପରେ ବେଟିଂ ଆପ୍ ୱାନ ଏକ୍ସବେଟର ପ୍ରଚାର କରିବା ଅଭିଯୋଗ ହୋଇଛି । ସେ ଏହାର ବ୍ରାଣ୍ଡ ଆମ୍ବାସାଡର ବୋଲି ଜଣାପଡିଛି  । ଠକେଇ ମାମଲାରେ ଇଡି  ଅନ୍ୟାନ୍ୟ ବେଟିଂ ଆପ୍‌କୁ ନେଇ ତଦନ୍ତ ଚଳାଇଛି । ଦକ୍ଷିଣ ଭାରତୀୟ ସେଲିବ୍ରିଟି, କ୍ରିକେଟର ଏବଂ ବଲିଉଡ ଷ୍ଟାରମାନେ ଏବେ ଇଡି ନଜରରେ ରହିଛନ୍ତି । ସମାନ ମାମଲାରେ ଇଡି ପୂର୍ବରୁ ଗୁଗୁଲ୍-ମେଟାକୁ ମଧ୍ୟ ସମନ ଜାରି କରିସାରିଛି । ଭାରତରେ ୨୨କୋଟି ଲୋକ କୌଣସି ନା କୌଣସି ଅନଲାଇନ୍ ବେଟିଂ ଆପ୍ ସହିତ ଜଡିତ ।

Advertisment

ଏଥିମଧ୍ୟରୁ ୧୧କୋଟି ଲୋକ ନିୟମିତ ବ୍ୟବହାରକାରୀ, ଅର୍ଥାତ୍ ସେମାନେ ପ୍ରତିଦିନ ବେଟିଂ ଲଗାନ୍ତି । ୨୦୨୫ବର୍ଷର ପ୍ରଥମ ତିନି ମାସରେ, ଲୋକମାନେ ଏହି ବେଆଇନ ବେଟିଂ ୱେବସାଇଟ୍ ଗୁଡ଼ିକୁ ୧.୬ ବିଲିୟନ ଥର ପରିଦର୍ଶନ କରିଛନ୍ତି।ଭାରତରେ ଅନଲାଇନ୍ ବେଟିଂ ବଜାର ବର୍ତ୍ତମାନ ୧୦୦ବିଲିୟନ ଡଲାର (୮.୩ ଲକ୍ଷ କୋଟି) ରୁ ଅଧିକ ମୂଲ୍ୟର ଏବଂ ପ୍ରତିବର୍ଷ ୩୦% ହାରରେ ବୃଦ୍ଧି ପାଉଛି । ଆକଳନ କରାଯାଇଛି ଯେ, ଶ୍ରେଷ୍ଠ ବେଟିଂ ଆପ୍ ପ୍ରତିବର୍ଷ ୨୭,୦୦୦ କୋଟି ଟଙ୍କାର ଟିକସ ଫାଙ୍କି ଦେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଜୁଆ ନିଶା ଏକ ମାନସିକ ରୋଗ ଯାହା ଲୋକଙ୍କୁ ଅବସାଦଗ୍ରସ୍ତ, ଚାପ ଏବଂ ଆତ୍ମହତ୍ୟା ଆଡ଼କୁ ନେଇଯାଏ । ଭାରତରେ, ଅନଲାଇନ୍ ଜୁଆରେ ଟଙ୍କା ହାରିବା ପରେ ହଜାର ହଜାର ଯୁବକ, ଛାତ୍ର ଏବଂ ଗୃହିଣୀ ଆତ୍ମହତ୍ୟା କରିଛନ୍ତି । ଏକ ପିଆଇଏଲ୍ ଅନୁଯାୟୀ, କେବଳ ତେଲେଙ୍ଗାନାରେ ୧୦୨୩ଜଣ ଅନଲାଇନ୍ ଜୁଆ ଖେଳି ହାରିବା ପରେ ଆତ୍ମହତ୍ୟା କରିଛନ୍ତି ।