କନକ ବ୍ୟୁରୋ : ହିଞ୍ଜିଳି ରାଜିନୀତିରେ ହଲଚଲ । ବିଜେଡି ଛାଡୁଛନ୍ତି ତୃଣମୂଳସ୍ତରର କର୍ମୀ ଓ ନେତା । ଯାହାକୁ ନେଇ ଗଂଜାମ ଓ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।  ରାଜ୍ୟ ବିଜେପି ଅଫିସରେ ହିଞ୍ଜିଳି ନେତାଙ୍କ ମିଶ୍ରଣ ପର୍ବ ।  ହିଞ୍ଜିଳି ଓ  ଶେରଗଡ ବ୍ଲକର  ଅନେକ ବିଜେଡି ନେତା, ବିଜେଡି ସମର୍ଥିତ ସରପଂଚ ଓ ସମିତିସଭ୍ୟ ବିଜେପିର ମିଶିଛନ୍ତି । ଏହା ପରେ ହିଞ୍ଜିଳି ରାଜନୀତି କଡ ଲେଉଟାଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।  ଭୁଷୁଡୁଛି କି ବିଜେଡି ଗଡ? କମୁଛି କି ନବୀନଙ୍କ ଲୋକପ୍ରିୟତା? ଏହାକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି  । ସଙ୍ଗଠନ ଦୁର୍ବଳ ହେବା ବିଜେଡି ପାଇଁ ଭଲ ସଙ୍କେତ ନୁହେଁ ବୋଲି ଆଲୋଚନା ଆରମ୍ଭ ହେଲାଣି ।

୨୦୨୪ ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜିଳିରେ ହାରୁ ହାରୁ ଜିତିଥିଲେ । ହାରଜିତର ବ୍ୟବଧାନ ବହୁତ କମ ଥିଲା ।
ନବୀନ ପଟ୍ଟନାୟକ(ବିଜେଡି):୬୬, ୪୫୯ ଭୋଟ୍
ଶିଶିର ମିଶ୍ର(ବିଜେପି):୬୧,୮୨୩
ବିଜୟ ବ୍ୟବଧାନ:୪, ୬୩୬ ଥିଲା
ନବୀନଙ୍କ ଲୋକପ୍ରିୟତା ବି ୧୯.୪୫ ପ୍ରତିଶତ କମିଥିଲା । 

ହିଞ୍ଜିଳିରେ ଗଡ ଭୁଷୁଡିବା ଆରମ୍ଭ ହେବା ପରେ ବିଜେଡିରେ ତନାଘନା ଆରମ୍ଭ ହୋଇଛି ।  ନବୀନ ନିବାସରେ ଏକାଠି ହୋଇଛନ୍ତି ହିଞ୍ଜିଳି  ବ୍କକ ୧୬ଟି ପଂଚାୟତର ସରପଂଚ ।  ଏହି ନେତା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସ୍ଥାନୀୟ ନେତାଙ୍କୁ ଆଶ୍ବାସନା ଦେଇ ସଙ୍ଗଠନକୁ ମଜଭୁତ କରିବା ପାଇଁ  ବିଜେଡି ସୁପ୍ରିମୋ ଦେଇଛନ୍ତି ଗୁରୁମନ୍ତ୍ର ।  

୨୦୨୪ ନବୀନଙ୍କ ଗଂଜାମ ଗଡ ଦୋହଲିଯାଇଥିଲା । ୨ଟି ସଂସଦୀୟ ଆସନ ସହ ୧୨ ବିଧାନସଭା ଆସନରେ ବିଜେଡି ମୂଳପୋଛ ହୋଇଯାଇଥିଲା।   ଆଗକୁ ଅନାସ୍ଥା ପ୍ରସ୍ତାବ ଆଣି ବିଜେଡି ସଂରପଚଙ୍କୁ  ଅସ୍ଥିର କରିପାରେ ବିଜେପି । ଏଭଳି ସ୍ଥିତିରେ ପରାଜୟର ସମୀକ୍ଷା କରୁନଥିବା  ବିଜେଡି, ବିଜେପିର ରଣନୀତିକୁ କିଭିଳି କାଉଂଟର କରିବ ସେ ନେଇ ପ୍ରସ୍ତୁତ ହେଉଛି ।