କନକ ବ୍ୟୁରୋ: ପୁଣି ବାଣ ବିସ୍ଫୋରଣରେ କମ୍ପିଲା ବୌଦ୍ଧର ପୁରୁଣାକଟକ। ଜିଆଁକଟା ଗାଁକୁ ନିଆଁରେ ଜାଳି ଦେଇଥିବା ବାଣ ମାଫିଆ, ଏବେ ନିଜ ଘରକୁ କରିଛି ବିସ୍ଫୋରଣର କେନ୍ଦ୍ରବିନ୍ଦୁ। ଜେଲରୁ ଆସିବା ପରେ ନା ଥିଲା ପୁଲିସର ଭୟ, ନା ଥିଲା କୃତକର୍ମ ପାଇଁ ଅନୁଶୋଚନା। ପୁଣି ଜନବସତି ମଝିରେ ଚାଲିଥିଲା ମୃତ୍ୟୁର କାରବାର। ଏବେ ପ୍ରଶ୍ନ ଉଠୁଛି- ଏହା ପଛରେ ରହିଛି ପ୍ରଶାସନର ଛତ୍ରଛାୟା? ନା ପୋଲିସର ନିଷ୍କ୍ରିୟତା?
ଶନିବାର ଅପରାହ୍ଣ ପ୍ରାୟ ୪ଟା
ସ୍ଥାନ- ପୁରୁଣାକଟକ ଷ୍ଟେଟ୍ ବ୍ୟାଙ୍କ କଲୋନି
ହଠାତ୍ ବିକଟାଳ ଶବ୍ଦରେ କମ୍ପିଗଲା ପରିବେଶ
ଲୋକେ କିଛି ବୁଝିବା ଆଗରୁ ବାଣ ବ୍ୟବସାୟୀ ଆଲୋକ କାଣ୍ଟିଙ୍କ ଘର ଛାତ ଉପରୁ ଦେଖିବାକୁ ମିଳିଥିଲା ନିଆଁର ଶିଖା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଠୋ-ଠା ଶବ୍ଦରେ ଥରି ଉଠିଥିଲା ସାର ପୁରୁଣାକଟକ ଅଞ୍ଚଳ। ଆଖି ସାମ୍ନାରେ ନାଚି ଉଠିଥିଲା ୫ ମାସ ତଳର ବିସ୍ଫୋରଣ ଦୃଶ୍ୟ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଆଲୋକ କାଣ୍ଟି ହେଉଛି, ୨୦୨୫ ସେପ୍ଟେମ୍ବର ୨୧ରେ ଜିଆକଟା ଗାଁରେ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ । ସେତେବେଳେ ଜଣଙ୍କର ଜୀବନ ଯାଇଥିଲା, ଅନେକ ଆହତ ହୋଇଥିଲେ ଏବଂ ପୂରା ଗାଁ ଛାରଖାର ହୋଇଯାଇଥିଲା। ପୁଲିସ ତାଙ୍କୁ ଗିରଫ କରିଥିଲା, ମାସେ ତଳେ ଜାମିନରେ ଆସି ପୁଣି ସେଇ ମୃତ୍ୟୁର ଖେଳ ଆରମ୍ଭ କରିଥିଲା ଆଲୋକ। ପ୍ରଶାସନର ନାକ ତଳେ ଜନବସତି ମଧ୍ୟରେ ପ୍ରସ୍ତୁତ କରୁଥିଲା ବାଣ।
ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ, ପଲିସ ଆଲୋକ କାଣ୍ଡିଙ୍କ ସମେତ ଆଉ ଜଣଙ୍କୁ ଅଟକ ରଖିଛି। ଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି, କିନ୍ତୁ ଏହା ପୁଲିସର ଗୋଇନ୍ଦା ଅବ୍ୟବସ୍ଥାକୁ ପଦାରେ ପକାଇଛି।
ବୌଦ୍ଧ ଜିଲ୍ଲାରେ ବାରମ୍ବାର ଘଟୁଥିବା ଘଟଣାକୁ ଦେଖିଲେ ଅନୁମାନ କରାଯାଇପାରେ, ନିୟମ ଏଠି କେବଳ କାଗଜ କଲମରେ। ଯଦି ପୂର୍ବ ଘଟଣାରୁ ପୁଲିସ ଶିକ୍ଷା ପାଇଥାନ୍ତା, ସତର୍କ ହୋଇଥାନ୍ତେ, ହେଲେ ଦ୍ଵିତୀୟ ବିସ୍ଫୋରଣ ଘଟିନଥାନ୍ତା। ନିୟମକୁ ଦଳଚକଟି ଦେଉଥିବା ବାଣ ମାଫିଆଙ୍କୁ କିଏ ଦେଉଛି ସୁରକ୍ଷା? କାହାର ଛତ୍ରଛାୟା ତଳେ ବର୍ଷବର୍ଷ ଧରି ଚଳାଇଛନ୍ତି ବେଆଇନ କାରବାର? ଆସନ୍ତାକାଲି ଯଦି ଧନଜୀବନ ହାନୀ ଘଟେ, ଦାୟୀ ରହିବ କିଏ?
Follow Us