କନକ ବ୍ୟୁରୋ: ବାଣ ବିସ୍ଫୋରଣରେ ଅଳ୍ପକେ ବାର୍ତ୍ତିଲେ ପରିବାରର ତିନି ସଦସ୍ୟ । ଜଳିଗଲା ଆସବାବ ପତ୍ର ଓ ଦୁଇ ବାଇକ୍ । ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ପୂର୍ଣ୍ଣ ସାହୁଙ୍କ ଭଡ଼ା ଘରେ ହୋଇଛି ଏହି ବିସ୍ଫୋରଣ । ସୂଚନା ଅନୁସାରେ, ଭଡ଼ା ଘରେ ରୁହନ୍ତି ମନୋଜ କୁମାର ପ୍ରଧାନଙ୍କ ପରିବାର । ବୁଧବାର ରାତିରେ ମନୋଜ ଘରେ ଟିଭି ଦେଖୁଥିବା ବେଳେ ଘର ଭିତରକୁ ହଠାତ ବାଣ ପଶିଯାଇଥିଲା । ଆଉ ସେଠାରେ ରଖାଯାଇଥିବା ବାଇକର ପେଟ୍ରୋଲ ଟାଙ୍କି ଫାଟି ଯାଇ ବଡ଼ ବିସ୍ଫୋରଣ ହୋଇଥିଲା । ଏଥିରେ ଘରର ସବୁ ଆସବାବ ପତ୍ର ସହ ଅନ୍ୟାନ୍ୟ କିଛି ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପରେ ତିନିଜଣଙ୍କୁ ଉଦ୍ଧାର କରିଛନ୍ତି । ବଡ଼ କଥା ହେଉଛି, ରାତି ସାଢ଼େ ୧୧ଟା ସୁଦ୍ଧା ବାଣ ଫୁଟା ଚାଲିଥିଲା । ହେଲେ ଏହାକୁ ନେଇ କେହି ବି ପ୍ରଶ୍ନ ଉଠାଇନଥିଲେ । ବାଣ ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଥିଲେ ବି ଏତେ ରାତି ପର୍ଯ୍ୟନ୍ତ କେମିତି ବାଣ ଫୁଟାଇଲେ, ତାକୁ ନେଇ ଉଠିଛି ପ୍ରଶ୍ନ ।