କନକବ୍ୟୁରୋ : ନୂଆପଡ଼ା ଜିଲ୍ଲାର ପତୋରା ଅପରୋଜଙ୍କ ଜଳସେଚନ ପ୍ରକଳ୍ପ ତ‌ଥା ପ୍ରସିଦ୍ଧ ପତୋରା ଡ୍ୟାମ୍‌ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି  ।  ପ୍ରକଳ୍ପରେ ପାଣି ଗଚ୍ଛିତ ରହିଲେ ସ୍ପିଲୱେ ଫାଟ ଭାଙ୍ଗିବାର ଆଶଙ୍କା ରହିଛି ।  ଏହି ଅବସ୍ଥାରେ ଲଗାଣ ବର୍ଷାରେ ବିଭାଗ ତରଫରୁ ପ୍ରକଳ୍ପ ପାଣିକୁ ଛାଡ଼ି ମରାମତି କାମକୁ ବିରୋଧ କରିଛି କଂଗ୍ରେସ ।

Advertisment

ଅପରୋଜଙ୍କ ଜଳସେଚନ ପ୍ରକଳ୍ପ ପତୋରା ଡ୍ୟାମ୍‌ ବିପଦରେ। ଡ୍ୟାମ୍‌ ସ୍ପିଲ୍‌ ୱେରେ ଗଭୀର ଗର୍ତ୍ତ ହେବା ସହ ତଳଭାଗ କ୍ଷତିଗ୍ରସ୍ତ ହୋଇଛି ।  ମାଟି ଅତଡ଼ା ସହ ପାଣି ଝରିବାରେ ଲାଗିଛି  ।   ଆଉ ଏହି ଅବସ୍ଥାରେ ବର୍ଷା ଦିନେ ସମ୍ବଲପୁର ବାଲାଜୀ ଡିଲର କମ୍ପାନି ତରଫରୁ ଡ୍ୟାମ୍‌ ମରାମତି କରାଯାଉଛି ।  ସ୍ପିଲ୍‌ ୱେରେ ଲିକେଜ୍‌ ଓ ଡ୍ୟାମ୍‌ରେ ପାଣି ଥିବାରୁ ମରାମତିରେ ଅସୁବିଧା ସୃଷ୍ଟି ହେଉଛି ।  ତୁରନ୍ତ କାମ ନସରିଲେ ଡ୍ୟାମ୍‌ଟି ଭାଙ୍ଗିଯିବାର ଆଶଙ୍କା ରହିଛି । ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାମ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ  । 

ନୂଆପଡ଼ା ବ୍ଲକର ସମସ୍ତ ଚାଷୀ ଜମିକୁ ଜଳସେଚନ ସୁବିଧା ଯୋଗାଇ ଆସୁଛି ଏହି ଡ୍ୟାମ୍‌ । ଯଦି ଏହା ଭାଙ୍ଗେ ତେବେ ଲକ୍ଷାଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। କାହିଁକି ଖରାଦିନ ବଦଳରେ ବର୍ଷାଦିନେ କାମ କରାଯାଉଛି ? ତାହା ଏକ ବଡ଼ ପ୍ରଶ୍ନ  ।   ସେଥିରେ ପୁଣି ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ।   ଡ୍ୟାମ୍‌ଟି ୧୯୭୧ରେ ନିର୍ମାଣ ହୋଇଥିଲା ।  ତେଣୁ ବନ୍ଧର ମରାମତି ସମ୍ପର୍କରେ ଡ୍ୟାମ୍‌ ସୁରକ୍ଷା ଯାଞ୍ଚ ପ୍ୟାନେଲ୍‌ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ସୁପାରିସ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ତଦନ୍ତ ଲାଗି ଜଣାଯିବା କଥା । ହେଲେ ଏହା କରାଯାଇଛି କି ନାହିଁ ତାହା ସନ୍ଦେହରେ ।