କନକ ବ୍ୟୁରୋ : ବ୍ରିଟେନ ସିପିଏସ୍ (କ୍ରାଉନ ପ୍ରାସିକ୍ୟୁଶନ ସର୍ଭିସ) ର ଏକ ପ୍ରତିନିଧିମଣ୍ଡଳ କିଛିଦିନ ତଳେ ଦିଲ୍ଲୀର ତିହାଡ଼ ଜେଲ ପରିଦର୍ଶନ କରିଛନ୍ତି । ଏହାର ଉଦ୍ଦେଶ୍ୟ ଜେଲର ସ୍ଥିତିକୁ ଆକଳନ କରିବା । କାରଣ ଭାବେ କୁହାଯାଇଛି କି, ଖୁବଶୀଘ୍ର ଭାରତ ଫେରିପାରନ୍ତି ପଳାତକ ବିଜୟ ମାଲ୍ୟା ଓ ନିରବ ମୋଦୀ । ତେଣୁ ସେମାନେ ଭାରତ ଫେରିବା ପରେ ସେମାନଙ୍କୁ ତିହାର ଜେଲରେ ରଖାଯିବ, ଏନେଇ ଜେଲର ବ୍ୟବସ୍ଥା ସମ୍ପର୍କରେ ଏହି ପ୍ରତିନିଧି ମଣ୍ଡଳୀ ଅନୁଧ୍ୟାନ କରିଛନ୍ତି । 

Advertisment

କିଛିଦିନ ତଳେ ବ୍ରିଟେନ ଅଦାଲତ ତରଫରୁ ତିହାର ଜେଲର ସ୍ଥିତିକୁ ନେଇ ଅନେକ ମାମଲାରେ ଭାରତକୁ ପ୍ରତ୍ୟାର୍ପଣ ଆବେଦନ ଖାରଜ କରାଯାଇଥିଲା । ସେପଟେ ଭାରତ ସରକାରଙ୍କ ତରଫରୁ ବ୍ରିଟେନ କୋର୍ଟଙ୍କୁ ଗ୍ୟାରେଣ୍ଟି ଦିଆଯାଇଛି କି, ଜେଲରେ କୌଣସି ଅଭିଯୁକ୍ତଙ୍କ ସହ ମାରପିଟ ଓ ବେଆଇନ ଜେରା ଭଳି ଘଟଣା ହେବ ନାହିଁ । ଏହାକୁ ନଜରରେ ରଖି ସିପିଏସ ର ଟିମ୍ ଦିଲ୍ଲୀ ତିହାର ଜେଲ ପହଂଚି ଜେଲର ସୁବିଧା ଅସୁବିଧା ବାବଦରେ ଯାଂଚ କରିଛନ୍ତି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସିପିଏସ ଟିମ୍ ତଦାରଖ କରିବା ବେଳେ ତିହାର ଜେଲର ସୁରକ୍ଷା ୱାର୍ଡ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ସେ ଅନେକ କଏଦୀଙ୍କ ସହ କଥା ହୋଇଥିଲେ । ଏହି କ୍ରମରେ ଜେଲର ଅଧିକାରୀମାନେ ସିପିଏସ ଟିମକୁ ଭରସା ଦେଇଥିଲେ କି ଜେଲ ପରିସରରେ ନିରବ ମୋଦୀ ଓ ବିଜୟ ମାଲ୍ୟା ଭଳି ହାଇପ୍ରୋଫାଇଲ ଅଭିଯୁକ୍ତଙ୍କ ସୁରକ୍ଷାକୁ ନଜରରେ ରଖି ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର କୋଠରୀ ବି ପ୍ରସ୍ତୁତ କରାଯିବ । 

ସୂଚନା ଥାଉକି ଭାରତ ସରକାରଙ୍କ ତରଫରୁ ବିଦେଶରେ ଥିବା ୧୭୮ ଜଣ ଅଭିଯୁକ୍ତଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରାଯାଇଛି । ସେଥିମଧ୍ୟରୁ ପାଖାପାଖି ୨୦ ଜଣ ଅଭିଯୁକ୍ତ ବ୍ରିଟେନରେ ରହିଛନ୍ତି । 
ଜେଲ ଅଧିକାରୀଙ୍କ ସୂଚନା ମୁତାବକ ସିପିଏସ୍ ଟିମ୍ ତିହାର ଜେଲକୁ ନେଇ ଅନେକାଂଶରେ ସନ୍ତୋଷ୍ଟ ଅଛନ୍ତି । ଏହି ଟିମ ଭାରତର ବିଦେଶ ମନ୍ତ୍ରଣାଳୟ, ଗୃହମନ୍ତ୍ରଣାଳୟ ଓ ଯାଂଚ ଏଜେନ୍ସିର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।