କନକ ବ୍ୟୁରୋ: ସିପିଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କ ପାର୍ଥୀବ ଶରୀରକୁ ସଂସ୍କାର କରାଗଲାନି । ଏହାକୁ ସବୁଦିନ ପାଇଁ ରଖାଗଲା । ଆରପାରିକୁ ଯାଉ ଯାଉ ସାରା ସମାଜକୁ ମହାନ୍ ବାର୍ତ୍ତା ଦେଇଗଲେ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପଢିବା ଓ ଗବେଷଣା ପାଇଁ ନିଜ ପାର୍ଥୀବ ଶରୀରକୁ ଦାନ କରିଗଲେ ଏହି ନେତା ।
୧୯ ତାରିଖରେ ଦେହାନ୍ତ ହେବା ପରେ ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଏକ ମହାନ୍ ବାର୍ତ୍ତା ଦେଇଗଲା । କାରଣ ପରଲୋକ ପରେ ଦେହ ତ ପଞ୍ଚଭୂତରେ ମିଶିଯିବ । କିନ୍ତୁ କୌଣସି ମହତ ଉଦ୍ଦେଶ୍ୟରେ ଲାଗିପାରିବ ଏକଥା ବହୁ ଆଗରୁ ଚିନ୍ତା କରିରଖିଥିଲେ ସୀତାରାମ , ଯାହାକୁ ଦିଲ୍ଲୀ ଏମ୍ସ ପକ୍ଷରୁ ଘୋଷଣା କରାଗଲା ।
ତେଣୁ ତାଙ୍କ ମରଶରୀରାକୁ ତାଙ୍କ ବାସଭବନ ବସନ୍ତକୁଞ୍ଜକୁ ଶେଷ ଦର୍ଶନ ପାଇଁ ପଠାଇବା ପରେ ସିପିଏମ୍ ହେଡକ୍ୱାଟର୍ସକୁ ନିଆଯାଇଥିଲା । ସେଠାରେ ବର୍ଷିଆନ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ମରଶରୀରକୁ ପୁଣିଥରେ ଏମ୍ସକୁ ଫେରାଇ ଅଣାଯାଇଥିଲା । ଏଠାରେ ରାସାୟନିକ ପ୍ରକ୍ରିୟାରେ ତାଙ୍କ ଶରୀରକୁ ସାଇତି ରଖାଯିବ । ଯାହାକୁ ଡାକ୍ତରୀ ଛାତ୍ରଛତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ବ୍ୟବହାର କରାଯିବ ।