କନକ ବ୍ୟୁରୋ : ଟମାଟୋ ପରେ ଏବେ କୋବିର ଅଭାବି ବିକ୍ରି । ଚାଷ ଜମିରେ ପଚିଗଲାଣି ବନ୍ଧା ଓ ଫୁଲ କୋବି । ବଜାରରେ ୧୦ ଟଙ୍କାକୁ ୨ଟା ଦେଲେ ବି ଗ୍ରାହକ ନେବାକୁ ମୁହଁ ମୋଡ଼ୁଛନ୍ତି । ସ୍ଥିତି ଏମିତି ହୋଇଛି ପରିଶ୍ରମ କରି ଅମଳ କରିବାକୁ ଚାଷୀ ଆଉ ଚାହୁଁନାହାନ୍ତି । ବିଲରେ ଗାଇ ଗୋରୁ ଛାଡ଼ିଦେଇଛନ୍ତି । ଅସ୍ତରଙ୍ଗ କାକଟପୁର ଅଞ୍ଚଳର ଶହ ଶହ ହେକ୍ଟର ଜମିରେ କୋବି ଚାଷ କରିଥିଲେ ଚାଷୀ । ଏଥିପାଇଁ ଚାଷୀଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ଜାନୁଆରୀ ମାସରେ ଅଦିନିଆ ବର୍ଷା ମାଡକୁ ସାମ୍ନା କରି ଅନେକ ଚାଷୀ ଫୁଲକୋବି ଆଉ ବନ୍ଧା କୋବି ଚାଷ କରିଥିଲେ ଓ ବିଳମ୍ବରେ ହେଉ ପଛେ ଭଲ କୋବି ଅମଳ ହୋଇଥିଲା ଓ ଚାଷୀ ମଧ୍ୟ ଲାଭବାନ ହେବାର ଆଶା ରଖିଥିଲେ । ହେଲେ ଠିକ୍ ଅମଳ ସମୟରେ ଅଭାବି ବିକ୍ରି ଚାଷୀଙ୍କୁ ଧୋକା ଦେଇଛି ।
ବଜାରକୁ ବାହାର ଅଂଚଳରୁ କୋବି ଆସିବା ପରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ କୋବିର ଚାହିଦା ନାହିଁ ଓ ଦଶ ଟଙ୍କାରେ ଦୁଇଟି କୋବି ବିକ୍ରି କରି ଚାଷୀ ହଜାର ହଜାର ଟଙ୍କାର କ୍ଷତି ସହୁଛନ୍ତି । କ୍ଷେତରୁ ବଜାରକୁ ଆଣିବା ପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ଉଠୁନାହିଁ । ତେଣୁ ବାଧ୍ୟ ହୋଇ କିଆରୀରେ ଛେଳି ଚରାଇଲେଣି ଚାଷୀ ଓ ଯାହା କିଛି ଅଛି ସେଥିରେ ରୋଗ ପୋକ ଲାଗିଗଲାଣି ।
ବିଶେଷକରି କୋବିକୁ ସଂରକ୍ଷଣ କରି ରଖିବାକୁ ଅସ୍ତରଙ୍ଗ କାକଟପୁର ଅଞ୍ଚଳରେ ଶିତଳ ଭଣ୍ଡାରଟିଏ ନାହିଁ । ତେଣୁ ଟମାଟ ଭଳି କୋବିର ଅଭାବି ବିକ୍ରିର ସାମ୍ନା କରି ଅନେକ କ୍ଷତି ସହୁଛନ୍ତି ଚାଷୀ ।