କନକ ବ୍ୟୁରୋ : ଗୋପାଳନ ଦେଇଛି ରୋଜଗାର । କଟକ ଜିଲ୍ଲା ନିଆଳି ବ୍ଲକ ଦେବୀ-କନ୍ଦଳ ଦ୍ୱୀପାଅଂଚଳ ସିଠାଳୋ ଗାଁର ବସନ୍ତ କୁମାର ଦାସଙ୍କୁ ଗୋପାଳନ ଦେଇଛି ନୂଆ ପରିଚୟ । ୨ଟି ଗାଈ ପାଳନରୁ ଆରମ୍ଭ ହୋଇଥିବା ଏବେ ତାଙ୍କ ଫାର୍ମରେ ୧୦ଟି ଗାଈ ୬ଟି ବାଛୁରୀ ରହିଛନ୍ତି । ସେ ଘରେ କ୍ଷୀରରୁ ପନିର କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଗାଈ ଗୋବରରୁ ଗୋବର ଗ୍ୟାସ ଟାଙ୍କି ନିର୍ମାଣ କରି ବର୍ଷ ତମାମ ରନ୍ଧନ କାର୍ଯ୍ୟରେ ଲଗାଉଛନ୍ତି । ନିଆଳି ସିଠାଳୋ ଗାଁରୁ ଦେଖନ୍ତୁ ଏହି ରିପୋର୍ଟ ।
ଗୋପାଳନ ରୋଜଗାର କରିବାର ଏକ ଭଲ ମାଧ୍ୟମ । ସହର ହେଉ ଅବା ଗାଁ ଏବେ ଲୋକମାନେ ଗୋପାଳନ କରି ଭଲ ରୋଜଗାର କରୁଛନ୍ତି । ଆଉ ଯଦି ଉନ୍ନତ ପ୍ରଣାଳୀରେ ଗୋପାଳନ କଲେ କେବଳ ଲାଭ ହିଁ ଲାଭ । ସେହିଭଳି ଜଣେ ସଫଳ ଚାଷୀ ହେଉଛନ୍ତି କଟକ ଜିଳ୍ଲା ନିଆଳି ବ୍ଲକ ଦେବୀ-କନ୍ଦଳ ଦ୍ୱୀପାଅଂଚଳ ସିଠାଳୋ ଗାଁର ବସନ୍ତ କୁମାର ଦାସ । ଯୁକ୍ତ ଦୁଇ ଯାଏଁ ପାଠପଢ଼ିଛନ୍ତି । କିଛି ରୋଜଗାର କରିବା ପାଇଁ ପ୍ରଥମେ ପାନବରଜ କରିଥିଲେ । ଫନୀ ବାତ୍ୟାରେ ପାନ ଚାଷରେ କ୍ଷତି ସହିବା ପରେ ଦୁଇଟି ଗାଇରୁ ଆରମ୍ଭ କରିଥିଲେ ବ୍ୟବସାୟ । ଏବେ ତାଙ୍କ ଫାର୍ମରେ ୧୦ରୁ ୧୨ଟି ଗାଇ ଅଛନ୍ତି । ପ୍ରତିଦିନ ସଂଗ୍ରହ ହେଉଥିବା କ୍ଷୀରକୁ ସେ ସ୍ଥାନୀୟ କ୍ଷୀର ସଂଗ୍ରହ କେନ୍ଦ୍ରରେ ବିକ୍ରି କରୁଛନ୍ତି । ଏହା ସହ କିଛି କ୍ଷୀରରୁ ପନିର ତିଆରି କରୁଛନ୍ତି । ଯାହା ତାଙ୍କୁ ଭଲ ରୋଜଗାର ଦେଉଛି । ପରିବାର ପ୍ରତିପୋଷଣରେ ସହାୟକ ହୋଇଛି ।
ବସନ୍ତ ଦିନ ସାରା ଗାଇ ଫାର୍ମରେ କାମ କରନ୍ତି । ଗାଇଙ୍କ ଖାଇବାକୁ ଦେବାଠାରୁ ଆରମ୍ଭ କରି ଗୋବର ଉଠାଇବା ପର୍ୟ୍ୟନ୍ତ ସମସ୍ତ କାମ କରନ୍ତି । ଆଉ ଏହି କାମରେ ତାଙ୍କୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରନ୍ତି । କିଏ ଘାସ କାଟନ୍ତି ପୁଣି କିଏ କ୍ଷୀର ଆଉଟି ସେଥିରୁ ପନିର ପ୍ରସ୍ତୁତ କରନ୍ତି । ଘର ପଛ ପଟେ ଗାଈଙ୍କ ପାଇଁ ଘାସ ଚାଷ ହୋଇଛି । ଗାଈ ଗୋବରରୁ ଗୋବର ଗ୍ୟାସ କରି ରୋଷେଇ ବାସ କରୁଛନ୍ତି । ଖାଲି ଏତିକି ନୁହେଁ ବସନ୍ତ ତାଙ୍କ ବାଡ଼ିରେ ଲଗାଇଛନ୍ତି ୧୦୦ ଗୁଆ ଗଛ । ତା ସହିତ ଅମୃତଭଣ୍ଡା, କଦଳୀ ଓ ଲେମ୍ବୁ ଚାଷ କରିଛନ୍ତି । ବିନା ସାରରେ ଖାଲି ଗାଈର ଗୋବରରୁ ଗଛ ଗୁଡିକ ହୁଷ୍ଟପୁଷ୍ଟ ହୋଇଛି । ଭଲ ଅମଳ ମଧ୍ୟ ହେଉଛି । ନିଜସ୍ବ ଉଦ୍ୟମରେ ବସନ୍ତଙ୍କର ଏଭଳି ପ୍ରୟାସ ତାଙ୍କୁ ରୋଜଗାରର ରାସ୍ତା ଦେଖାଇଛି । କଠିନ ପରିଶ୍ରମ କରି ସେ ଭଲ ରୋଜଗାର କରୁଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।