କନକ ବ୍ୟୁରୋ : ୮ମାସ ପରେ ଓଡ଼ିଶାକୁ ଫେରିଛି କୋଭିଡ୍ । ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ଜଣେ ବୟସ୍କ ବ୍ୟକ୍ତି । ଆକ୍ରାନ୍ତ ଜଣକ ଦିଲ୍ଲୀ-ହରିଦ୍ୱାରରୁ ଫେରିଥିବାରୁ ତାଙ୍କୁ ସଂଗରୋଧରେ ରଖାଯାଇଛି । ତେବେ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Advertisment

ବିଦେଶ, ପରେ ଦେଶ, ଆଉ ଏବେ ଓଡ଼ିଶାରୁ ପୁଣି ଚିହ୍ନଟ ହୋଇଛି କରୋନା । ବୁଧବାର ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଜଣେ ୭୫ବର୍ଷ ବୟସ୍କ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଯଦିଓ ସେ ବହୁରୋଗରେ ପୀଡ଼ିତ ଅଛନ୍ତି, ସେଥିପାଇଁ ତାଙ୍କୁ ସଂଗରୋଧରେ ରଖାଯାଇଛି । ନିକଟରେ ସେ ଦିଲ୍ଲୀ-ହରିଦ୍ୱାରରୁ ଫେରିଛନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ପରିଚୟକୁ ଗୁପ୍ତ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ରେସିଂ ପ୍ରକ୍ରିୟା ଜାରି ରହିଛି । ସ୍ୱାସ୍ଥ୍ୟସଚିବ କହିଛନ୍ତି, ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତାହା କରୋନାର ମାଇଲ୍ଡ ଭାରିଆଣ୍ଟ । ଏହା ବ୍ୟାପିବାର ସମ୍ଭାବନା କମ୍ । ଭୟଭୀତ ହେବାର ଆବଶ୍ୟକ ନାହିଁ ।

ଦେଶରେ କୋଭିଡ୍ ଚିହ୍ନଟ ହୋଇଥିଲେ ବି ଭାରତ ସରକାରଙ୍କ ପକ୍ଷରୁ କୌଣସି ଗାଇଡଲାଇନ୍ ଜାରି ହୋଇନାହିଁ । ମେ’ ୧୯ ତାରିଖ ସୁଦ୍ଧା ଦେଶରେ ୨୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ମହାରାଷ୍ଟ୍ରରେ ଦୁଇଜଣଙ୍କ କରୋନାଜନିତ ମୃତ୍ୟୁ ପରେ ସାମାନ୍ୟ ଚିନ୍ତା ବଢ଼ାଇଛି । କାରଣ ଏସିଆ ମଦାଦେଶରେ ସିଙ୍ଗାପୁର ଓ ହଂକଂ ଭଳି ଦେଶରେ ସପ୍ତାହକ ମଧ୍ୟରେ ସଂକ୍ରମଣରେ ବେଶ୍ ବୃଦ୍ଧି ହୋଇଛି । ସିଙ୍ଗାପୁରରେ ୧୧ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହଂକଂରେ ୧ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ତେଣୁ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ଓଡ଼ିଶାରେ ଶେଷଥର ପାଇଁ ୨୦୨୪ ଅକ୍ଟୋବର ମାସରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ।