କନକ ବ୍ୟୁରୋ: ପୁଣି କଡ଼ ଲେଉଟାଇଲାଣି କରୋନା । ମୁମ୍ବାଇର ଏକ ହସ୍ପିଟାଲରେ ୨ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ପରେ ଚିନ୍ତା ବଢ଼ିଛି । ଯଦିଓ ଓଡ଼ିଶାରେ ଏପର୍ଯ୍ୟନ୍ତ ଜଣେ ବି କେହି ଆକ୍ରାନ୍ତ ହୋଇନାହାନ୍ତି, ତେବେ କେରଳ, ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ଜଣେ ପରେ ଜଣେ କୋଭିଡରେ ଆକ୍ରାନ୍ତ ହେଉଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏହା କୋଭିଡ୍‌ର ନୂଆ ଭାରିଆଣ୍ଟ ନୁହେଁ । ତେଣୁ ନଡରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । 

Advertisment
  • ପୁଣି ଫେରିଲାଣି କରୋନା
  • ମୁମ୍ବାଇରେ ୨ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ଅଭିଯୋଗ

ପ୍ରାୟ ୩ ବର୍ଷ ପରେ ଭାରତକୁ ଫେରିଛି କରୋନା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଭାରତରେ ଆଜି ସୁଦ୍ଧା ୨୫୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ତେବେ ଆଶ୍ବସ୍ତିର କଥା ହେଲା, ସମସ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ଏବଂ କାହାରି ହସ୍ପିଟାଲ ଯିବା ଆବଶ୍ୟକ ପଡ଼ିନାହିଁ । କେରଳ, ମହାରାଷ୍ଟ୍ର ଓ ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କେରଳରେ ସର୍ବାଧିକ ୬୯ ଜଣ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି । ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ ୨ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ଅଭିଯୋଗ ପରେ ଓଡ଼ିଶାରେ ବଢ଼ିଛି ଚିନ୍ତା । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏହା କୋଭିଡ୍‌ର ନୂଆ ଭାରିଆଣ୍ଟ ନୁହେଁ । ଏହା ଓମିକ୍ରନର ସବ୍‌-ଭାରିଆଣ୍ଟ । ଏଠି କେହି ଚିହ୍ନଟ ହେଲେ, ଜେନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବ । କିଡ୍‌ନି ଜନିତ ଗୁରୁତର ରୋଗୀ ହୋଇଥିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । 
 

ଏସିଆ ମହାଦେଶରେ ବ୍ୟାପୁଛି କୋଭିଡ୍ । ହଂକଂରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି, ଯାହା ଗୋଟିଏ ବର୍ଷରେ ସର୍ବାଧିକ । ସିଙ୍ଗାପୁର ଓ ଥାଇଲାଣ୍ଡରେ ମଧ୍ୟ ଗତ କିଛି ସପ୍ତାହ ହେବ କରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି । କେନ୍ଦ୍ର ସରକାର କୋଭିଡକୁ ନେଇ ଏପର୍ଯ୍ୟନ୍ତ ମାର୍ଗଦର୍ଶିକା ଜାରି କରିନଥିଲେ ବି ସତର୍କ ରହିବାକୁ କହିଛନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଯେଉଁ ଲୋକଙ୍କ ପାଖରେ ବିଭିନ୍ନ ପ୍ରକାର ରୋଗ ରହିଛି, ସେମାନେ କୋଭିଡ୍ ନିୟମ ମାନିବା ନିହାତି ଆବଶ୍ୟକ । ସେହିପରି ବୟସ୍କ ଲୋକେ ଅଧିକ ସଚେତନ ହେବା ଦରକାର । ଏସିଆ ମହାଦେଶରେ କୋଭିଡ୍-୧୯ ତାର କାୟା ବିସ୍ତାର କରୁଥିବାରୁ କୋଭିଡ୍ ନିୟମସବୁ ମାନିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।