କନକ ବ୍ୟୁରୋ : ମହାରାଷ୍ଟ୍ର ବଦଲାପୁର ଶିଶୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ଅକ୍ଷୟ ସିନ୍ଦେର ଏନକାଉଣ୍ଟରରେ ମୃତ୍ୟୁକୁ ନେଇ ଅଡୁଆରେ ପୁଲିସ। କେଉଁ ପରିସ୍ଥିତିରେ ୨୪ ବର୍ଷୀୟ ଅକ୍ଷୟ ସିନ୍ଦେର ମୃତ୍ୟୁ ହେଲା, ତା’କୁ ନେଇ ହାଇକୋର୍ଟ  ପୁଲିସକୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି । ଅଭିଯୁକ୍ତଙ୍କ ବାପା ଏହାକୁ ଫେକ ଏନକାଉଣ୍ଟର ଅଭିଯୋଗ ଆଣି ହାଇକୋର୍ଟ ଯାଇଥିବା ବେଳେ କୋର୍ଟ ପୁଲିସକୁ କଡ଼ା ସମାଲୋଚନା କରିଛନ୍ତି । ବମ୍ବେ ହାଇକୋର୍ଟ କହିଛନ୍ତି, ଅଭିଯୁକ୍ତ ପୁଲିସଠୁ ବନ୍ଧୁକ ଛଡ଼ାଇ ଫେରାଇ ହେବାକୁ ଚେଷ୍ଟା କଥାକୁ ବିଶ୍ବାସ କରିବା ବହୁତ କଷ୍ଟକର । 

Advertisment

କୋର୍ଟ-ସରକାରୀ ଓକିଲଙ୍କ ଯୁକ୍ତିତର୍କ
ସରକାରଙ୍କ ଓକିଲ- ଅଭିଯୁକ୍ତ ବନ୍ଧୁକ ଛଡାଇ ୩ଟି ଗୁଳି ଚଳାଇଥିଲା, ଗୋଟିଏ ଗୁଳି ପୁଲିସ୍‌ ଅଫିସରଙ୍କ ଦେହରେ ବାଜିଥିଲା।
କୋର୍ଟ—ଅଭିଯୁକ୍ତ ୩ ଥର ଗୁଳି ଚଳାଇଲା ବେଳେ ଆପଣମାନେ(ପୁଲିସ୍‌) କେଉଁଠି ଥିଲେ?
କୋର୍ଟ- ଗୋଟିଏ ଗୁଳି ମିଳିଛି, ବାକି ଗୁଳି କୁଆଡ଼େ ଗଲା? 
କୋର୍ଟ- ବନ୍ଧୁକର ସ୍ଲାଇଡର ପପ୍ କରିବା ପାଇଁ ବଳ ଦରକାର।
କୋର୍ଟ- ଜଣେ ସାଧାରଣ ଲୋକ ବିନା ତାଲିମରେ ପିସ୍ତଲ ଚଳାଇ ପାରିବ ନାହିଁ।
କୋର୍ଟ-- ଆଣ୍ଠୁ ତଳକୁ ଗୁଳି ଚଳାଇବାର ପ୍ରାବଧାନ ଅଛି, କାହିଁକି ଜଙ୍ଘକୁ ଗୁଳି ଚଳାଇଥିଲା ପୁଲିସ?
ସରକାରଙ୍କ ଓକିଲ-  ପୁଲିସ ପାଖରେ ଭାବିଚିନ୍ତି ଗୁଳି ଚଳାଇବାକୁ ସମୟ ନଥିଲା।
କୋର୍ଟ— ପୁଲିସ ତା’କୁ କାବୁ କରି ପାରିଥାନ୍ତା। କାରଣ ସେ ଆଦୌ ଜଣେ ବିରାଟକାୟ ମଣିଷ ନଥିଲା
କୋର୍ଟ— ଏହାକୁ କେବେ ହେଲେ ଏନକାଉଣ୍ଟର ଭାବେ ବିବେଚନା କରାଯାଇ ପାରିବ ନାହିଁ।

ସୋମବାର ପୁଲିସ୍‌ ଅଭିଯୁକ୍ତକୁ ତଲୋଜା ଜେଲରୁ ବଦଲାପୁର ନେଉଥିଲା। ଭ୍ୟାନରେ ଯାଉଥିବା ବେଳେ ଜଣେ ପୁଲିସ୍‌ ଅଧିକାରୀଙ୍କ ଠାରୁ ପିସ୍ତଲ ଛଡ଼ାଇ ଗୁଳି ଚଳାଇଥିଲା ଅଭିଯୁକ୍ତ ଅକ୍ଷୟ ସିନ୍ଦେ। ଏଥିରେ ଜଣେ ଆସିସଷ୍ଟାଣ୍ଟ ଇନସପେକ୍ଟର ଆହତ ହୋଇଥିବା ପୁଲିସ କହିଛି। ଅଭିଯୁକ୍ତ ଯାଉଥିବା ରାସ୍ତାରେ ସିସିଟିଭି କ୍ୟାମେରା ରହିଥିଲା କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ଏକ ନିରପେକ୍ଷ ତଦନ୍ତ ହେବ ବୋଲି କୋର୍ଟ ଆଶାପ୍ରକଟ କରିଛନ୍ତି। ଯଦି କିଛି ଗଫଲାତି ହେଲା, ତା’ହେଲେ ବାଧ୍ୟ ହୋଇ ନିର୍ଦ୍ଦେଶ ପାରିତ କରିବାକୁ ଚେତାବନୀ ଦେଇଛନ୍ତି ବମ୍ବେ ହାଇକୋର୍ଟ। ସେପଟେ ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ଘଟଣାର ଏସଆଇଟି ତଦନ୍ତ ଦାବି କରିଛି ଶିବସେନା(ୟୁବିଟି)। କିନ୍ତୁ ଏନକାଉଣ୍ଟରକୁ ସମର୍ଥନ କରିଛି ଶାସକ ଦଳ।

ଅଗଷ୍ଟ ୧ରେ ଅକ୍ଷୟ ଘରୋଇ ସ୍କୁଲରେ ସୁଇପର ଭାବେ ଯୋଗଦେଇଥିଲା। ଅଗଷ୍ଟ ୧୨ ଓ ୧୩ ତାରିଖରେ ୩ ଏବଂ ୪ ବର୍ଷର ଶିଶୁକୁ ସ୍କୁଲରେ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକେ ହଙ୍ଗାମା ପରେ ଅଗଷ୍ଟ ୧୭ ତାରିଖରେ ତାକୁ ଗିରଫ କରାଯାଇଥିଲା।