କନକ ବ୍ୟୁରୋ: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ  । ମୃତ ଦମ୍ପତି ହେଲେ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ ପଞ୍ଚାୟତ ରଗଡାସାହିର ଦୁର୍ଯ୍ୟୋଧନ ମହାନ୍ତ ଓ ଭାରତୀ ମହାନ୍ତ  । 

Advertisment

ସୂଚନା ଅନୁସାରେ, ଦୁର୍ଯ୍ୟୋଧନ ଦୀର୍ଘ ବର୍ଷ ଧରି ଛତିଶଗଡ଼ ରାଜ୍ୟର କୋରବା ଜିଲ୍ଲାରେ ଥିବା କୁସୁମୁଣ୍ଡା କୋଲ ମାଇନ୍ସରେ ହାଇୱା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ  । ସେ ସେଠାରେ ନିଜ ସ୍ତ୍ରୀ ଓ ଏଗାର ବର୍ଷର ପୁଅ ସହ ରହିଆସୁଥିଲେ  । ଗତକାଲି ସକାଳୁ ପୁଅ ସ୍କୁଲ ଯିବା ପରେ ସ୍ତ୍ରୀ ଭାରତୀ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ  ।  ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଯ୍ୟୋଧନ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ।  ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ  । ଖବର ପାଇ ପରିବାର ଲୋକ ଛତିଶଗଡ଼ରେ ପହଞ୍ଚି ମୃତଦେହକୁ ନିଜ ଗାଁ ରଗଡାସାହିକୁ ଆଣିଥିବା ବେଳେ ସ୍ଥାନୀୟ ଗାଁ ଶ୍ମଶାନରେ ଦମ୍ପତ୍ତିଙ୍କ ଶେଷକୃତ୍ୟ କରାଯାଇଛି  । ଯାହାକୁ ନେଇ ଗାଁରେ ଓ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି  ।