ଇୟୁ ଓ ଭାରତ ମଧ୍ୟରେ ଏଫ୍‌ଟିଏ ନେଇ ୨୦୦୭ଠାରୁ ଆଲୋଚନା ଜାରି ରହିଛି। ୨୦୦୭-୨୦୧୩ ଛଅ ବର୍ଷ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଥିଲା, କିନ୍ତୁ ୨୦୧୩ରେ କାର୍ ଓ ମଦ ଉପରେ ଶୁଳ୍କ, ବୌଦ୍ଧିକ ସମ୍ପତ୍ତି ଅଧିକାର ଓ ତଥ୍ୟ ସୁରକ୍ଷା ଭଳି ପ୍ରସଙ୍ଗରେ ମତଭେଦ ଯୋଗୁ ଆଲୋଚନା ବନ୍ଦ ହୋଇଯାଇଥିଲା। ୨୦୨୧ ମେ’ ମାସରେ ଆଲୋଚନା ପୁଣି ଆରମ୍ଭ କରିବା ନେଇ ପ୍ରୟାସ କରାଯାଇଥିଲା। ୟୁରୋପୀୟ ସଂଘ ଓ ଭାରତୀୟ ନେତାମାନେ ଏକ ସନ୍ତୁଳିତ, ମହତ୍ୱାକାଂକ୍ଷୀ ଓ ବ୍ୟାପକ ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା କରିବାକୁ ରାଜି ହୋଇଥିଲେ। ୨୦୨୨ ଜୁନ୍-ଜୁଲାଇରେ ପ୍ରାୟ ନଅ ବର୍ଷର ବ୍ୟବଧାନ ପରେ, ନୂତନ ରାଜନୈତିକ ପ୍ରତିବଦ୍ଧତା ସହିତ ଆନୁଷ୍ଠାନିକ ଭାବରେ ଆଲୋଚନା ପୁନର୍ବାର ଆରମ୍ଭ ହୋଇଥିଲା। ୨୦୨୩ ଫେବ୍ରୁଆରି ମାସରେ, ଡିଜିଟାଲ୍ ପରିବର୍ତ୍ତନ, ସବୁଜ ପ୍ରଯୁକ୍ତିବିଦ୍ୟା ଓ ବାଣିଜ୍ୟ ଉପରେ ସହଯୋଗ ବୃଦ୍ଧି କରିବା ପାଇଁ ଉଭୟ ପକ୍ଷ ଏକ ନୂତନ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ପ୍ରତିଷ୍ଠା କରିଥିଲେ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁରୋପୀୟ କମିସନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ମିଳିତ ଭାବରେ ସହମତ ହୋଇଥିଲେ ଯେ, ଉଭୟ ପକ୍ଷ ୨୦୨୫ ଶେଷ ସୁଦ୍ଧା ଆଲୋଚନା ସମାପ୍ତ କରିବାକୁ ପ୍ରୟାସ କରିବେ। ୨୦୨୬ରେ ମଦର ଅଫ୍ ଅଲ୍ ଡିଲ୍ସ ନାମକ ବାଣିଜ୍ୟ ଚୁକ୍ତି ନେଇ ଉଭୟ ପକ୍ଷ ନିକଟତର। ୨୦୨୬ ଜାନୁଆରି ୨୦ରେ ଡାଭୋସ୍‌ରେ ବିଶ୍ୱ ଅର୍ଥନୈତିକ ଫୋରମ୍‌ରେ ଉର୍ସୁଲା ଭନ୍ ଡେର୍ ଲେଏନ୍ ଘୋଷଣା କରିଥିଲେ ଯେ, ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି। ଆମେ ଏକ ଐତିହାସିକ ଚୁକ୍ତିର ଦ୍ୱାରଦେଶରେ ଅଛୁ। ଭାରତ ଓ ଇୟୁ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆମଦାନି ଶୁଳ୍କ ହ୍ରାସ କରିବା ସହିତ ସାମଗ୍ରୀ, ସେବା, ନିବେଶ ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର, ଡିଜିଟାଲ୍ ନିୟମାବଳୀ ଓ ନିୟାମକ ସହଯୋଗ ଭଳି ୨୪ଟି କ୍ଷେତ୍ର‌ ପାଇଁ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ। ଭାରତରେ ଇୟୁ ପ୍ରମୁଖ ବିଦେଶୀ ନିବେଶକ ପାଲଟିଛି। ୨୦୨୩ ଇୟୁର ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫ୍‌ଡିଆଇ) ଷ୍ଟକ୍ ୧୪୦.୧ ବିଲିୟନ ୟୁରୋରେ ପହଞ୍ଚିତିଲା। ଏହି ଚୁକ୍ତିନାମା ସ୍ୱଚ୍ଛ ଶକ୍ତି, ଔଷଧ ଓ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରରେ ନିବେଶକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

Advertisment

କେଉଁ ଲାଭ ପାଇବ ଭାରତ

ବାଣିଜ୍ୟ ଚୁକ୍ତି ଦ୍ବାରା ଭାରତୀୟ ରପ୍ତାନିକାରୀମାନେ ୨୭ଟି ଇୟୁ ଦେଶର ପ୍ରାୟ ୪୫୦ ନିୟୁତ ଉଚ୍ଚ-ଆୟ ଗ୍ରାହକଙ୍କ ପାଖରେ ପହଞ୍ଚି ପାରିବେ। ଏହି ଚୁକ୍ତି ଦ୍ୱାରା ଭାରତର ବୟନଶିଳ୍ପ, ଔଷଧ ଶିଳ୍ପ, ସେବା କ୍ଷେତ୍ର ସହିତ ବୃତ୍ତିଗତମାନେ ଉପକୃତ ହେବେ। ଇୟୁ ବର୍ତ୍ତମାନ ବାର୍ଷିକ ୧୨୫ ବିଲିୟନ ଡଲାର ମୂଲ୍ୟର ବୟନଶିଳ୍ପ ଓ ପୋଷାକ ଆମଦାନି କରୁଛି। ଏଥିରେ ଭାରତର ଅଂଶ କେବଳ ୫% ରୁ ୬% ରହିଛି। ଅନ୍ୟପକ୍ଷରେ, ଚୀନ୍‌ର ବଜାର ଅଂଶ ୩୦%, ବାଂଲାଦେଶ ଓ ପାକିସ୍ତାନର ମିଳିତ ବଜାର ଅଂଶ ୨୦% ରହିଛି। ଆମେରିକାର ୫୦% ଶୁଳ୍କ ଯୋଗୁ କ୍ଷତି ସହୁଥିବା ଭାରତୀୟ ବୟନଶିଳ୍ପ ନିଜର ଉତ୍ପାଦ ବିକ୍ରୟ କରିବା ପାଇଁ ନୂତନ ବଜାର ପାଇ ପାରିବ। ଚୁକ୍ତି ଦ୍ବାରା ଭାରତର ଜୋତା, ଚମଡା ସାମଗ୍ରୀ , ରତ୍ନ ଓ ଅଳଙ୍କାର କ୍ଷେତ୍ରର ରପ୍ତାନିରେ ବଡ଼ ବୃଦ୍ଧି ପାଇବ। ଭାରତୀୟ ଔଷଧ କମ୍ପାନିଗୁଡ଼ିକୁ ଶୁଳ୍କ ହ୍ରାସର ଲାଭ ମିଳିବା ସହିତ ନିୟାମକ ପ୍ରତିବନ୍ଧକ ହ୍ରାସ ତଥା ମାନଦଣ୍ଡର ପାରସ୍ପରିକ ସ୍ୱୀକୃତି ମଧ୍ୟ ମିଳିବ। ଏହା ଭାରତୀୟ ଜେନେରିକ୍ ଔଷଧ ସ ସ୍ୱତନ୍ତ୍ର ରାସାୟନିକ ପଦାର୍ଥଗୁଡ଼ିକୁ ୟୁରୋପୀୟ ବଜାରରେ ସହଜରେ ପ୍ରବେଶ କରିବାକୁ ଅନୁମତି ଦେବ। ଚୁକ୍ତି ଦ୍ବାରା ଭାରତୀୟ ଆଇଟି, ଇଞ୍ଜିନିୟରିଂ ଓ ଚିକିତ୍ସା ପେଶାଦାରଙ୍କ ପାଇଁ ଇୟୁକୁ ଯିବା ପାଇଁ ଭିସା ସହଜ ହୋଇପାରିବ।। ଏହା ଭାରତ ପାଇଁ ନୂତନ ବଜାର ଖୋଲିବ, ଯାହା ସୁରକ୍ଷାବାଦୀ ଆମେରିକା ନୀତିର ବିପରୀତ ହେବ। ଏହା ଆମେରିକା ଉପରେ ଭାରତର ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିବ। ଏହି ଚୁକ୍ତିନାମା ଭାରତରେ ସ୍ୱଚ୍ଛ ଶକ୍ତି, ନବୀକରଣୀୟ ଶକ୍ତି, ଔଷଧ ଓ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକରେ ୟୁରୋପୀୟ ନିବେଶକୁ ଆକର୍ଷିତ କରିବ। ଏହା ସହିତ, ଭାରତୀୟ ଫାର୍ମଗୁଡ଼ିକ ୟୁରୋପୀୟ ଯୋଗାଣ ଶୃଙ୍ଖଳରେ ଅଧିକ ସମନ୍ୱିତ ହୋଇ ପାରିବେ। ଫଳରେ ବିଶ୍ୱ ଉତ୍ପାଦନ ନେଟୱାର୍କରେ ଭାରତର ସ୍ଥିତି ସୁଦୃଢ଼ ​​ହୋଇପାରିବ।

ଭାରତର ଲକ୍ଷ୍ମଣରେଖା

ଭାରତ ଏହି ଚୁକ୍ତିନାମାରେ ନିଜର ଲକ୍ଷ୍ମଣରେଖା ବଜାୟ ରଖିଛି। ଘରୋଇ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ କୃଷି ଓ ଦୁଗ୍ଧ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚୁକ୍ତିନାମାର ପରିସରରୁ ଭାରତ ବାଦ୍ ଦେଇଛି।

କେଉଁ ଲାଭ ପାଇବ ୟୁରୋପ

ୟୁରୋପ ଭାାରତରେ ଦ୍ରୁତ ଗତିରେ ବଢୁଥିବା ମହତ୍ୱାକାଂକ୍ଷୀ ମଧ୍ୟବିତ୍ତ ଶ୍ରେଣୀଙ୍କର ଏକ ବଡ଼ ବଜାର ହାସଲ କରିବ। ରଣନୈତିକ ଭାବରେ ଚୀନ୍ ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଇୟୁ ନିଜର ଯୋଗାଣ ଶୃଙ୍ଖଳାକୁ ବିବିଧ କରିବାକୁ ଚାହୁଁଛି। ଏହି ପରିପ୍ରେକ୍ଷୀରେ, ଏହି ଚୁକ୍ତିନାମା ଦ୍ବାରା ଇୟୁ ଭାରତ ଭଳି ଏକ ନିର୍ଭରଯୋଗ୍ୟ ଓ ଭୂ-ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର କରିପାରିବ। ଇୟୁ ଭାରତର ଯାତ୍ରୀବାହୀ ଯାନ ବଜାରରେ ପ୍ରବେଶ ଚାହୁଁଛି। ଏହି କ୍ଷେତ୍ରରେ ଆମଦାନୀ ଶୁଳ୍କ ବର୍ତ୍ତମାନ ୧୦୦% ରୁ୧୨୫% ପର୍ଯ୍ୟନ୍ତ ରହିଛି। ଭାରତରେ ୟୁରୋପୀୟ ମଦ ଓ ସ୍ପିରିଟ୍ସ ବର୍ତ୍ତମାନ ୧୫୦% ରୁ ୨୦୦% ପର୍ଯ୍ୟନ୍ତ ଉଚ୍ଚ ଶୁଳ୍ରକ ସମ୍ମୁଖୀନ ହେଉଛି। ଚୁକ୍ତିନାମା ଦ୍ବାରା ଇୟୁ ଏହି ଶୁଳ୍କରେ ହ୍ରାସ ପାଇପାରେ। ୟୁରୋପୀୟ ସଂଘ ଏହାର ପନିର ଓ ଅନ୍ୟାନ୍ୟ କ୍ଷୀରଜାତ ଦ୍ରବ୍ୟ, ରାସାୟନିକ ପଦାର୍ଥ ଓ ଯନ୍ତ୍ରପାତି ଉପରେ କମ ଶୁଳ୍କ ଚାହୁଁଛି। ଯଦିଓ ଭାରତ କ୍ଷୀର ଉପରେ ଛାଡ ଦେବାର ସମ୍ଭାବନା କମ୍ ରହିଛି। ତଥାପି ରାସାୟନିକ ପଦାର୍ଥ ଓ ଯନ୍ତ୍ରପାତି ପାଇଁ ଏକ ବୃହତ ବଜାର ଉପରେ ଉଭୟ ପକ୍ଷ ସହମତ ହୋଇପାରନ୍ତି। ଇୟୁ ଭାରତର ଆର୍ଥିକ, ଆଇନଗତ, ବ୍ୟାଙ୍କିଙ୍ଗ ଓ ଟେଲିକମ୍ କ୍ଷେତ୍ରକୁ ଅଧିକ ଖୋଲା କରିବାକୁ ଚାହୁଁଛି। ଏହା ଭାରତରେ ନିବେଶ କରୁଥିବା ନିରର ପ୍ରାୟ ୬,୦୦୦ କମ୍ପାନି ପାଇଁ ଏକ ସ୍ୱଚ୍ଛ, ଖୋଲା ଓ ପୂର୍ବାନୁମାନଯୋଗ୍ୟ ନିୟାମକ ପରିବେଶ ଚାହୁଁଛି। ଯାହା ଦ୍ବାରା ସେମାନଙ୍କର ନିବେଶ ଓ ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ ହୋଇପାରିବ। ଏହି ଚୁକ୍ତିନାମା ସ୍ୱଚ୍ଛ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଓ ଡିଜିଟାଲ୍ ଭିତ୍ତିଭୂମି ଭଳି କ୍ଷେତ୍ରରେ ୟୁରୋପୀୟ ନିବେଶକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଚୁକ୍ତିନାମା ମାଧ୍ୟମରେ ଇୟୁ ଚାହୁଁଛି ଯେ ଭାରତ ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ୟୁରୋପୀୟ କମ୍ପାନିଗୁଡ଼ିକ ପାଇଁ ନିଜର ସରକାରୀ କ୍ରୟ ବଜାର ଖୋଲି ଦେଉ। ଯାହା ନିର୍ମାଣ, ପରିବହନ ଓ ଆଇଟି ଭଳି କ୍ଷେତ୍ରକୁ ଲାଭ ପହଞ୍ଚାଇବ।