liquor Photograph: (kanak news)
କନକ ବ୍ୟୁରୋ : ଷ୍ଟିଲ ସିଟିରେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ପ୍ରସ୍ତୁତ ହେଉଛି ନକଲି ମଦ । ଦୋକାନରେ ଚଢ଼ଉ କରି ୩ ଜଣ କର୍ମଚାରୀଙ୍କୁ ଗିରଫ କରି କାମ ସାରି ଦେଇଛି ଅବକାରୀ ବିଭାଗ। ହେଲେ ବିଷାକ୍ତ ମଦ ପ୍ରସ୍ତୁତ କରୁଥିବା ମାଷ୍ଟର ମାଇଣ୍ଡ ଦୋକାନୀଙ୍କୁ ବାନ୍ଧିବାକୁ ହାତ ଯାଉନି । ଲୋକଙ୍କ ଜୀବନ ସହ ଖେଳୁଥିବା ମାଲିକଙ୍କ ସହ ଅବକାରୀ ବିଭାଗର ହୋଇଛି କି ବଡ଼ ଡିଲ୍ ।
ମଦ ଦୋକାନ ମାଲିକ ତିଆରି କରୁଥିଲେ ନକଲି ମଦ। ଏଥିପାଇଁ ନାମୀ ଦାମୀ କମ୍ପାନିର ବୋତଲ, ଷ୍ଟିକର, ଠିପି ଓ ସରକାରଙ୍କ ସ୍ବୀକୃତି ଲେଭଲ ସବୁ କିଛି ଅରିଜିନାଲ ଭଳି ପ୍ରସ୍ତୁତ କରି ଚଳାଇଥିଲେ କାରବାର। ଏ ହେଉଛି ରାଉରକେଲା ଷ୍ଟେସନ ରୋଡ ଭଳି ଜନଗହଳିପୂର୍ଣ୍ଣ ଜାଗାରେ ଥିବା ଠିପି ବନ୍ଦ ସରକାରୀ ବିଦେଶୀ ମଦ ଦୋକାନ। ଦୋକାନରେ ଚଢ଼ଉ କରି ୩୪ ଲିଟର ନକଲି ମଦ ସହ ବିଭିନ୍ନ ସାମଗ୍ରୀ ଜବତ କରି ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ହେଲେ ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଛୁଇଁ ପାରିନି ଅବକାରୀ ବିଭାଗ ।
ଅଧିକ ପଢ଼ନ୍ତୁ---ବିଗୁଡ଼ୁଛି ସହରର ଆଇନ ଶୃଙ୍ଖଳା ; ବଢ଼ୁଛି ଚୋରା ବନ୍ଧୁକ କାରବାର
ଏଠାରେ ପ୍ରଶ୍ନ ଉଠୁଛି, ମଦ ଦୋକାନ ମାଲିକଙ୍କ ଅଜାଣତରେ ଚାଲିଥିଲା କି ନକଲି ମଦ ତିଆରି? ନିୟମ ଅନୁସାରେ ନକଲି ମଦ ତିଆରି ଘଟଣା ପରେ ତୁରନ୍ତ ଦୋକାନକୁ ସିଲ୍ କରିବା କଥା। ଏଥିସହ ଦୋକାନ ଲାଇସେନ୍ସ ବାତିଲ ହେବା କଥା। ହେଲେ ଦୋକାନ ମାଲିକଙ୍କ ଅନ୍ୟ ଜାଗାରେ ଥିବା ମଦ ଦୋକାନରେ କାହିଁକି ଚଢ଼ଉ କରୁନି ଅବକାରୀ ବିଭାଗ? ମାଲିକଙ୍କ ଗୋଦାମରେ କାହିଁକି ହାତ ମାରୁନି ଅବକାରୀ ବିଭାଗ? କେତେ ଦିନରୁ ଚାଲୁଥିଲା ଏହି କାରବାର? ଲୋକଙ୍କ ଜୀବନ ସହ ଖେଳୁଥିବା ଦୋକାନ ମାଲିକଙ୍କୁ କାହିଁକି ଏତେ ଅନୁକମ୍ପା ? ତେବେ ଏନେଇ ଅବକାରୀ ମନ୍ତ୍ରୀଙ୍କୁ ଜଣାଇବା ସହ ଲାଇସେନ୍ସ ବାତିଲ କରିବା ଓ ମଦ ଦୋକାନ ମାଲିକଙ୍କୁ ଗିରଫ ପାଇଁ ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି ପୂର୍ବତନ ନଗରପାଳ ।
Follow Us