କନକ ବ୍ୟୁରୋ : ଦୁଇ ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍‌ ସିରପ୍ ଦିଅ ନାହିଁ । ଦୁଇ ବର୍ଷରୁ କମ ବୟସର ପିଲାଙ୍କୁ କାଶ କିମ୍ୱା ସର୍ଦ୍ଦି ହେଲେ ଉପଶମ ପାଇଁ କଫ୍‌ ସିରପ୍ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ରାଜ୍ୟ ସରକାରଙ୍କୁ ଏଭଳି ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବା ଡିଜିଏଚଏସ୍ । ସମସ୍ତ ରାଜ୍ୟ ସରକାର ଓ ଡାକ୍ତରଖାନାଗୁଡ଼ିକ ଏହି ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉପଦେଶାବଳୀରେ କୁହାଯାଇଛି । ମଧ୍ୟପ୍ରଦେଶରେ ଦୂଷିତ କଫ୍‌ ସିରପ୍ ପିଇବା ପରେ ଶିଶୁଙ୍କ ମୃତ୍ୟୁକୁ ନେଇ ବିବାଦ ପରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରୀକ୍ଷା କରାଯାଇଥିବା ମଧ୍ୟପ୍ରଦେଶର କଫ୍‌ ସିରପ୍ ନମୂନାରୁ ଡାଇଥିଲିନ୍ ଗ୍ଲାଇକଲ୍ କିମ୍ୱା ଏଥିଲିନ୍ ଗ୍ଲାଇକର ପ୍ରମାଣ ପାଇନାହିଁ । ଯାହା କିଡନି ପାଇଁ ହାନିକାରକ । ତଥାପି ଅଧିକ ପରୀକ୍ଷା ପାଇଁ କଫ୍‌ ସିରପ୍ ନମୂନା ପଠାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିନରେ ଥିବା ଡିଜିଏଚଏସ୍ କହିଛି ସାଧାରଣତଃ ୫ ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍ ସିରପ୍ ସେବନ ପାଇଁ ସୁପାରିଶ କରାଯାଏ ନାହିଁ । କେବଳ ବୟସ୍କ ଓ ବୃଦ୍ଧବୃଦ୍ଧାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଫ୍ ସିରପ୍ ଦିଆଯାଇଥାଏ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସରକାର ଜାରି କରିଥିବା ଉପଦେଶାବଳୀ କୁହାଯାଇଛି ଯେ ପିଲାମାନଙ୍କ କାଶ ବିନା ଔଷଧ ଠିକ ହୋଇଯାଏ । ଏଥିପାଇଁ ଶରୀରେ ଜଳୀୟ ଅଂଶ ଠିକ୍ ରଖିବା କଥା । 

Advertisment