ସଙ୍କଟରେ ଧଳା ସୁନା ଚାଷ । ଚିନ୍ତାରେ କଳାହାଣ୍ଡିର କପା ଚାଷୀ

କଳାହାଣ୍ଡି କପାରେ ଲାଗିଛନ୍ତି ଲେଡ଼ା ପୋକ । ପୋକ ଦାଉରୁ ବର୍ତି ଯାଇଥିବା ଜମିରେ ଘୁଷୁରିଙ୍କ ଉତ୍ପାତ । ଉତ୍ପାଦନ କମିବାରୁ ଚାଷୀଙ୍କୁ ଘାରିଛି କରଜ ସୁଝିବା ଚିନ୍ତା ।

vlcsnap-2024-11-15-17h59m27s471

କନକ ବ୍ୟୁରୋ: ଚିନ୍ତାରେ କପା ଚାଷୀ । ଗୋଟିଏ ପଟେ ବର୍ଷାର ଉପଦ୍ରବ ଅନ୍ୟପଟେ ଘୁଷୁରୀଙ୍କ ଉପଦ୍ରବ ଚାଷୀଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ବର୍ଷା ହୋଇ ଲେଡା ପୋକ ଲାଗି ବ୍ୟୟ ବହୁଳ କପା ଚାଷର ଉତ୍ପାଦନ କମିଯାଇଛି । ଏପରି ସ୍ଥିତି ଦେଖିବାକୁ ମିଳିଛି ସର୍ବଶ୍ରେଷ୍ଠ ଧଳା ସୁନା ଉତ୍ପାଦନକାରୀ ଜିଲ୍ଲା କଳହାଣ୍ଡିରେ । ଚାଷ ନଷ୍ଟ ହେବାରୁ ଧାର କରଜ କେମିତି ଶୁଝାହେବ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି ।

କଳାହାଣ୍ଡିରେ ଉନ୍ନତ ମାନର କପା ଉତ୍ପାଦନ କରାଯାଏ । ଚଳିତ ବର୍ଷ ୭୦ହଜାର ହେକ୍ଟର ଜମିରେ କପା ଚାଷ କରାଯାଇଛି । କିନ୍ତୁ ବର୍ଷା ଯୋଗୁଁ ଲେଡ଼ା ପୋକ ଲାଗି ଚାଷ ନଷ୍ଟ ହୋଇଯାଇଛି । ସେଥିରେ ପୁଣି ଘୁଷୁରୀଙ୍କ ଉପଦ୍ରବ ଚାଷୀଙ୍କୁ ନାକେଦମ କଲାଣି । ଯେଉଁଠି ଏକର ପିଛା ୭ରୁ ୮ କ୍ବିଣ୍ଟାଲ କପା ଉତ୍ପାଦନ ହେଉଥିଲା, ଏବେ ସେଠାରେ ୨ ରୁ ୩ କ୍ବିଣ୍ଟାଲ ଅମଳ ହେଉଛି। 
 

କପା ଏକ ଅର୍ଥକାରୀ ବ୍ୟୟ ବହୁଳ ଚାଷ । ଚାଷୀ ଧାର କରଜ କରି ଚାଷ କରିଛନ୍ତି । କିନ୍ତୁ ଏ ବର୍ଷ ଆଶା ଅନୁସାରେ ଅମଳ ହେବା ନେଇ ଦ୍ୱନ୍ଦ୍ୱ ଉପୁଜିଛି । ଯଦି ଉତ୍ପାଦନ କମିଯାଏ,ତେବେ ଚାଷୀ କେମିତି କରଜ ଶୁଝିବ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଧଳା ସୁନା ଚାଷର ଏପରି ପରିସ୍ଥିତିରେ ସରକାର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe