କନକବ୍ୟୁରୋ : ଗାଁ ଗୁଡିକୁ ସହର ସହ ଯୋଡିବା ପାଇଁ ଅନେକ ଯୋଜନା ।  କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ।  କିନ୍ତୁ ବିଭାଗୀୟ ଅଧୀକାରୀଙ୍କ ଅବହେଳା ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ଅବହେଳିତ ହୋଇପଡ଼ୁଛି ଅନେକ ଅଞ୍ଚଳ  ।   ଯାହାର ଗୋଟିଏ ଉଦାହରଣ ବାଲେଶ୍ବର ସଦର ବ୍ଲକ ଆଳୁମେଦା ପଞ୍ଚାୟତରେ ନିର୍ମାଣଧିନ ସେତୁ  ।   

Advertisment

ବାଲେଶ୍ୱର ସଦର ବ୍ଲକ  ଓ ବାଲିଆପଳ ବ୍ଲକ ମଧ୍ୟ ଦେଇ ପ୍ରବାହିତ ହେଉଛି ଡୁବଡୁବି ନଦୀ । ନଦୀଟି ବଡ ନୁହେଁ, ହେଲେ ଗଭୀର   ।     ସରକାରଙ୍କ ତରଫରୁ ନଦୀ ପାର ପାଇଁ କୌଣସି ବ୍ୟବସ୍ଥା ନାହିଁ ।  ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି ପରେ ପୋଲ ପାଇଁ ଅର୍ଥ ମଞ୍ଜୁର କରିଥିଲେ ପୂର୍ବତନ ସରକାର । ୧୮ ମାସ ମଧ୍ୟରେ କାମ ସାରିବାକୁ କୁହାଯାଇଥିଲା  ।  

ହେଲେ ୧୭ବର୍ଷ ବିତିଲାଣି, ଏ ପର୍ଯ୍ୟନ୍ତ ସେତୁ ନିର୍ମାଣ ସରୁନାହିଁ । ତେଣୁ ଗମନାଗମନର ଏମାତ୍ର ଭରସା ଦୌଡିଟଣା ଡଙ୍ଗା  ।  ପ୍ରତିଦିନ ଦେଶୀ ଡ଼ଙ୍ଗାରେ ବିପଦପୂର୍ଣ୍ଣ ଭାବେ ଯାତୟାତ କରୁଛନ୍ତି ଲୋକ  । 

ଡୁବଡୁବି ନଦୀ ଉପରେ ବାଲିଆପଳ ଓ ସଦର ବ୍ଲକର ୯ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି। ନଦୀଟି ଗଭୀର ଓ ଜୁଆରିଆ ହୋଇଥିବାରୁ ଡଙ୍ଗା ଚଳାଇବା କଷ୍ଟକର ହୋଇଥାଏ  ।   ସେଥିରେ ପୁଣି ଡଙ୍ଗାଟି ଦୌଡି ସାହାଯ୍ୟରେ ଚାଲୁଥିବାରୁ ଛିଡି ଯିବାର ଭୟ ମଧ୍ୟ ରହିଥାଏ  । 

ପୋଲଟିଏ ନଥିବାରୁ ଡଙ୍ଗାରେ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ନଚେତ ୫-୭ କି.ମି ରାସ୍ତା ବଦଳରେ ୨୫ କିଲୋମିଟର ରାସ୍ତା ବୁଲିବାକୁ ପଡିବ । ତୁରନ୍ତ ପୋଲ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି ।