କନକ ବ୍ୟୁରୋ : ବାଲେଶ୍ୱର, ବସ୍ତା... ଫାଇଭ-ଟି ସ୍କୁଲ ରୂପାନ୍ତରୀକରଣ ନାଁରେ ହୋଇଥିବା ମହାଦୁର୍ନୀତିର, କେବଳ ଗୋଟିଏ ବର୍ଷର କେଳେଙ୍କାରୀ ପଦାକୁ ଆଣିଛନ୍ତି ସିଏଜି । ହେଲେ ଅଭିଯୋଗ ହେଉଛି, ବର୍ଷ ବର୍ଷ ଧରି ସରକାରୀ ଟଙ୍କା ହରିଲୁଟ୍ ହୋଇଛି । ବାଲେଶ୍ୱର ଜିଲ୍ଲା ଗୋଡ଼ିଖାଳ ବନବିହାରୀ ଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ୨୦୨୨-୨୩ରେ ଏହି ସ୍କୁଲର ରୂପାନ୍ତରୀକରଣ କରାଯାଇଥିଲା । ଦୁଇଟି ସ୍ମାର୍ଟ ଶ୍ରେଣୀଗୃହ ପାଇଁ ୧୦ ଲକ୍ଷ ୫୦ ହଜାର, ଅନ୍ୟାନ୍ୟ ରୂପାନ୍ତରଣ ପାଇଁ ୨୮ ଲକ୍ଷ ୫୦ ହଜାର ଏବଂ ଶୌଚାଳୟ ଓ ପାନୀୟ ଜଳ ଗୃହ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୫୯ ହଜାର ଟଙ୍କା । ବର୍ଷ ଦୁଇଟାରେ ଛାତରୁ ସିଲିଂ ଖସିଲାଣି । କାନ୍ଥ ଫାଟି ଆଁ କଲାଣି । ସ୍ମାର୍ଟ କ୍ଲାସରୁମ୍ରୁ ଗାୟବ୍ ହୋଇଯାଇଛି କମ୍ପ୍ୟୁଟର ।
କେନ୍ଦୁଝର ଜିଲ୍ଲାରେ ମୋଟ ୩୩୨ଟି ଉଚ୍ଚବିଦ୍ୟାଳୟକୁ ୫-ଟିରେ ସାମିଲ୍ କରି ଡିଏମ୍ଏଫ୍ ପାଣ୍ଠି ଚଳୁ କରିନେଇଛନ୍ତି ଦଲାଲ । କେବଳ କବାଟ, ଝରକାରେ ଷ୍ଟିକର୍ ଲଗାଇ ସ୍କୁଲ ପିଛା ଅଢେଇ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ୩ଟି ପର୍ଯ୍ୟାୟରେ ୮କୋଟି ୫୦ଲକ୍ଷ ଟଙ୍କା ଦଲାଲଙ୍କ ପକେଟ୍କୁ ଯାଇଛି ।
ସେହିପରି କଟକ, କଣ୍ଟାପଡ଼ାର ଆଉ ଏକ ସ୍କୁଲର ବି ସମାନ ଅବସ୍ଥା । ଏହି ଜିଲ୍ଲାରେ ୫-ଟି ଦୁର୍ନୀତିକୁ ଧରିଛନ୍ତି ସିଏଜି । ଯାହାର ଜ୍ୱଳନ୍ତ ଉଦାହରଣ ସାଇଲୋ ଗୋବିନ୍ଦପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଦେଖିବାକୁ ମିଳୁଛି । କମ୍ପ୍ୟୁଟର ରୁମ୍ର ବାହାର ଯେମିତି, ଭିତର ସେମିତି । ଶୌଚାଳୟର ଅବସ୍ଥା ନକହିବା ଭଲ । ରାଜ୍ୟର ଏକାଧିକ ସ୍କୁଲରେ ୫-ଟି ଦୁର୍ନୀତିର ପ୍ରମାଣ ମିଳୁଛି । ତେଣୁ ସିଏଜି ଧରିଥିବା କେବଳ ୬ଟି ଜିଲ୍ଲା କାହିଁକି, ବରଂ ସମସ୍ତ ସ୍କୁଲରେ ଖୋଳତାଡ଼ କଲେ ଏହି ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ।