କନକ ବ୍ୟୁରୋ: କାଗଜପତ୍ରରେ ପୋଖରୀ ପୁନରୁଦ୍ଧାର । ୩୦ ଲକ୍ଷ ଖର୍ଚ୍ଚ ପରେ ବି ବଦଳିଲା ନାହିଁ ଚିତ୍ର । ପୋଖରୀ ପୁନରୁଦ୍ଧାର ପାଇଁ ଯେତିକି ଯୋଜନା ଅଛି, ପ୍ରାୟ ସବୁ ଖର୍ଚ୍ଚ ହୋଇସାରିଲାଣି । କିନ୍ତୁ ପୋଖରୀ ହୁଡ଼ାରେ ଲୁଗା ବଦଳାଇବା ପାଇଁ ଘରଟିଏ ହୋଇପାରିନି କି ହୁଡ଼ାର ସୌନ୍ଦର୍ଯ୍ୟକରଣର ନାଁ ଗନ୍ଧ ନାହିଁ ।
ପୋଖରୀ ପୁନରୁଦ୍ଧାର କାମରେ ମହା ଦୁର୍ନୀତି । ପୋଖରୀ ପିଛା ୩୦ ଲକ୍ଷ ଖର୍ଚ୍ଚ ପରେ ବି ବଦଳିଲା ନାହିଁ ଚିତ୍ର । ପୋଖରୀ ପୁନରୁଦ୍ଧାର ପାଇଁ ଯେତିକି ଯୋଜନା ଅଛି, ପ୍ରାୟ ସବୁ ବିନିଯୋଗ ହୋଇ ସାରିଲାଣି । କିନ୍ତୁ ପୋଖରୀ ହୁଡ଼ାରେ ଲୁଗା ବଦଳାଇବା ଗୃହଟିଏ ହୋଇପାରିନି କି ହୁଡ଼ା ସୌନ୍ଦର୍ଯ୍ୟକରଣ ହୋଇପାରିନି ।
ଗୋଟିଏ ପୋଖରୀ, ପୋଖରୀ ହୁଡ଼ାରେ ଧାଡ଼ି ଧାଡ଼ି ହୋଇ ଲାଗିଛି ସବୁ ଯୋଜନାର ଫଳକ। ଝାରସୁଗୁଡା ଜିଲ୍ଲା କୋଲାବିରା ସମାସିଂହା ସ୍କୁଲ ପାଖ ଏହି ପୋଖରୀକୁ ଦେଖିଲେ ଆପଣ ବି ଜାଣିପାରୁଛନ୍ତି କାମ କେମିତି ହୋଇଛି
୨୦୨୧- ମନରେଗା ଯୋଜନାରେ ପୋଖରୀର ପୁନରୁଦ୍ଧାର ପାଇଁ ୭ ଲକ୍ଷ ୩୦ ହଜାର ଟଙ୍କା
୨୦୨୨- ଅମୃତ ସରୋବର ଯୋଜନାରେ ପୋଖରୀ ସୌନ୍ଦର୍ଯ୍ୟକରଣ ବାବଦରେ ୫ ଲକ୍ଷ ଟଙ୍କା
୨୦୨୨- ଡିଏମଏଫ ପାଣ୍ଠିରୁ ପୋଖରୀ ସୌନ୍ଦର୍ଯ୍ୟକରଣ ବାବଦରେ ୧୦ ଲକ୍ଷ ଟଙ୍କା
୨୦୨୩-୨୪ରେ ପୋଖରୀ ହୁଡ଼ାରେ ବୃକ୍ଷରୋପଣ ପାଇଁ ୫ଲକ୍ଷ ଟଙ୍କା
କେବଳ ଏହି ପୋଖରୀରେ ଆଜି ଯାଏଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ କାମ ନାଁରେ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି ।
କେବଳ କୋଲାବିରା ବ୍ଲକ ସମାସିଂହା ଗାଁରେ ପୋଖରୀ ପୁନରୁଦ୍ଧାର ନାଁରେ ଦୁର୍ନୀତି ହୋଇଛି ତା ନୁହେଁ । ୨୦୧୮ରୁ ୨୦୨୪ ମସିହା ଭିତରେ ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠିରୁ ୧୫୧ଟି ପୋଖରୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାମରେ କୋଟି କୋଟି ଖର୍ଚ୍ଚ ହୋଇଛି । ପୋଖରୀ ଖନନ ନାଁରେ ଜିଲ୍ଲା ଖଣିଜ ପାଣ୍ଠିକୁ ଲୁଟିବାର ଏକ ସିଧାସଳଖ ବାଟ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା । ଏନେଇ ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ।
ଟଙ୍କା ଖର୍ଚ୍ଚ ହୋଇଛି, ହେଲେ ନାଁ ପୋଖରୀ ହୁଡା ହୋଇଛି, ନା ବୃକ୍ଷରୋପଣ କରାଯାଇଛି । ତେଣୁ ପ୍ରଶ୍ନ ଉଠୁଛି ସରକାରୀ ତହବିଲରୁ ଏତେ ସବୁ ଯୋଜନାରେ ଆସିଥିବା ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ।