କନକ ବ୍ୟୁରୋ :  ଏସ୍‌ଆଇ ସମେତ ୯୩୩ଟି ବିଭିନ୍ନ ପଦବୀ ଲାଗି ୫ ଓ ୬ ତାରିଖରେ ପରୀକ୍ଷା ହେବାର ଥିଲା । ପରୀକ୍ଷାର୍ଥୀ ଥିଲେ ୧ଲକ୍ଷ ୫୩ ହଜାର ୭୩୬ଜଣ। କିନ୍ତୁ ପରୀକ୍ଷା ପୂର୍ବରୁ ସାମନାକୁ ଆସିଛି ବଡ଼ କେଳେଙ୍କାରୀ । ତାପରେ ବୋର୍ଡ କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି କହିଛି । 

Advertisment

ଇଏ ହେଉଛି ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ବିଜ୍ଞପ୍ତି । ଆସନ୍ତା ୫ ଓ ୬ ତାରିଖରେ ପୁଲିସ ଏସ୍‌ଆଇ ପାଇଁ ୩୫୭ଟି କେନ୍ଦ୍ରରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବ୍ରହ୍ମପୁରରେ ନିଯୁକ୍ତି ପାଇଁ ବଡ଼ ଜାଲିଆତି ସାମ୍ନାକୁ ଆସିବା ପରେ ହଠାତ୍ ପରୀକ୍ଷାକୁ ବନ୍ଦ କରାଯାଇଛି । ଖବରରୁ ଜଣାପଡ଼ିଛି, ଏସ୍‌ଆଇ ପରୀକ୍ଷା ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା କିଛି ପରୀକ୍ଷାର୍ଥୀଙ୍କ ସହ ଡିଲ୍‌ କରିଥିଲା । ଏମାନଙ୍କୁ ହାଇଦ୍ରାବାଦ ନିଆଯାଉଥିବା ବେଳେ ପୁଲିସ ପିଛା କରି ଆନ୍ଧ୍ର ଶ୍ରୀକାକୁଲମ୍‌ରେ ଧରିଛି । । ଗୁଇନ୍ଦା ସୂଚନା ଆଧାରରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଧରାଯାଇଛି । ଏମାନଙ୍କୁ ବ୍ରହ୍ମପୁର ଅଣାଯାଇ ପଚରାଉଚରା କରାଯାଉଛି । 

ଅଟକ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ରିଜର୍ଭ ବାରାକରେ ରଖାଯାଇ ଚାଲିଛି ତଦନ୍ତ ।  ସୂଚନା ଅନୁସାରେ , ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ବାହାରିଥିଲା ସ୍ୱତନ୍ତ୍ର ବସ୍‌  । ବରମୁଣ୍ଡାରୁ ସନ୍ଧ୍ୟା ସାଢ଼େ ୭ଟା ବେଳେ ଛାଡ଼ିଥିଲା । ୩ ବସ୍‌ରେ ଥିଲେ ୧୨୦ ଜଣ ପରୀକ୍ଷାର୍ଥୀ । ସମସ୍ତେ ଏସ୍‌ଆଇ ପରୀକ୍ଷା ଦେଇଥାନ୍ତେ । ଶ୍ରୀକାକୁଲମ୍‌ ପାଖରେ ଏକ କୋଠା ନିଆଯାଇଥିଲା । ଗୋଟିଏ ଲେବୁଲ ପାସ୍‌ କରିବାକୁ ଦେଇଥାନ୍ତେ ୧ ଲକ୍ଷ ଟଙ୍କା । ଗତକାଲି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡକୁ ଖବର ଆସିବା ପରେ ବ୍ରହ୍ମପୁର ପୁଲିସକୁ ଖବର ଦିଆଯାଇଥିଲା । ବାରମ୍ବାର ପରୀକ୍ଷାରେ ତ୍ରୁଟିକୁ ନେଇ ବର୍ଷିଛନ୍ତି ଛାତ୍ର ନେତା ।