କନକ ବ୍ୟୁରୋ: ସ୍କୁଲ ପରେ ଏବେ ‘ମୋ କଲେଜ’ରେ ମହାଦୁର୍ନୀତି। ସ୍ମାର୍ଟ କ୍ଲାସ ରୁମ୍ ନାଁରେ ଆସୁଛି କୋଟି କୋଟି ଟଙ୍କା। ସେଥିରୁ ଅଧା ଟଙ୍କା ବି କାମରେ ଲାଗୁନାହିଁ। ବାକି ଟଙ୍କା କିଏ ଖାଇଗଲା, ଉଠିଲା ପ୍ରଶ୍ନ।

କେଉଁଠି କାନ୍ଥରୁ ପାଣି ଲିକ୍ କରୁଛି ତ କେଉଁଠି ଦୟନୀୟ ଅବସ୍ଥାରେ ଡେସ୍କ-ବେଞ୍ଚ। କ୍ଲାସ ରୁମରେ ସ୍ମାର୍ଟ ବୋର୍ଡ ଅଛି, ସଂଯୋଗ ହୋଇନି ଇଣ୍ଟରନେଟ୍। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ସ୍ମାର୍ଟ କ୍ଲାସ ରୁମ । ପୂର୍ବ ସରକାରଙ୍କ ଫାଇଭ-ଟି ଅନ୍ତର୍ଗତ ‘ମୋ କଲେଜ’ ନାଁରେ ୨କୋଟି ୨୫ଲକ୍ଷ ଟଙ୍କା ଆସିଥିଲା। ବିଡ଼ମ୍ବନାର କଥା ହେଉଛି, ଯେଉଁ ସ୍ମାର୍ଟ କ୍ଲାସ ରୁମରେ ସବୁକିଛି ନୂଆ ରହିବା କଥା, ସେଠାରେ ସବୁ ପୁରୁଣା। ପୁରୁଣା ପଙ୍ଖା, ପୁରୁଣା ଡେସ୍କ-ବେଞ୍ଚ ଥିବା ବେଳେ ସ୍ମାର୍ଟ ବୋର୍ଡ, ଦୁଇଟି ପାଣି ଫିଲ୍ଟର ନୂଆ ଆସିଛି। ଯାହାର ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ତେବେ ବାକି ଟଙ୍କା କୁଆଡ଼େ ଗଲା ବୋଲି ଉଠୁଛି ପ୍ରଶ୍ନ। 

୧୩ଟି ସ୍ମାର୍ଟ କ୍ଲାସ ଓ ୨ଟି ସ୍ମାର୍ଟ ଲାବ୍ରୋଟେରୀ ଆସିଥିଲା ପାଇଁ ଏହି ଟଙ୍କା। ସେଥିରୁ ୧କୋଟି ଟଙ୍କାର ଟେଣ୍ଡର ଡକାଯାଇଥିଲା। ବାକି ୧କୋଟି ୨୫ଲକ୍ଷ ଟଙ୍କାର ଜିନିଷ କିଣାଯାଇଥିଲା। ଗୋଟିଏ ସ୍ମାର୍ଟ ବୋର୍ଡର ଆନୁମାନିକ ମୂଲ୍ୟ ୧ଲକ୍ଷ ୮୦ ହଜାର ଟଙ୍କା ହେବ। ତେଣୁ ୧୩ଟି ସ୍ମାର୍ଟ ବୋର୍ଡର ଆନୁମାନିକ ମୂଲ୍ୟ ୨୩ଲକ୍ଷ ୬୦ହଜାର ଟଙ୍କା ହେବ। ସେହିପରି ବିଜ୍ଞାନ ଲ୍ୟାବ ପାଇଁ ମଧ୍ୟ କିଛି ନୂଆ ହୋଇନଥିବା ଜଣାପଡ଼ିଛି।

ସେପଟେ କଲେଜ ଅଧ୍ୟକ୍ଷ ଓ ବିଡିଓଙ୍କ କଥାରେ ରହୁନାହିଁ ତାଳମେଳ। କଲେଜ ଅଧ୍ୟକ୍ଷଙ୍କ କହିବା କଥା, ସବୁ କିଛି ନୂଆ ଲାଗିଛି। ହେଲେ ବିଡିଓ କହୁଛନ୍ତି ଯେ ଆବଶ୍ୟକ ଅନୁସାରେ ନୂଆ ଜିନିଷ ଲାଗିଛି। 

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜର ଘଟଣା। ଜିଲ୍ଲାର ବାକି ମହାବିଦ୍ୟାଳୟକୁ ଆସିଥିବା ଅନୁଦାନରେ କୋଟି କୋଟି ଟଙ୍କାର ମହାକେଳେଙ୍କାରୀ ହୋଇଥିବା ଅନୁମାନ କରାଯାଉଛି।