କନକ ବ୍ୟୁରୋ: ମାଲକାନଗିରି ଜିଲା ମାଥିଲିରେ ସାମ୍ନାକୁ ଆସିଛି ଦୁର୍ନୀତିର ଆଉ ଏକ ଫର୍ଦ୍ଦ । ଶିବ ସାଗର ଉପରେ ଚାଲିଛି ନିମ୍ନମାନର ରାସ୍ତା କାମ । ପୁନଃଉଦ୍ଧାର ନାଁରେ କୋଟିକୋଟି ଟଙ୍କା ବିଭାଗୀୟ ବାବୁ ଓ ଠିକାଦାର ହଡପ କରିଥିବା ଅଭିଯୋଗ ହୋଇଛି । ପୁଣି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି ।
ମାଥିଲିରେ ୭୯ ଲକ୍ଷ ୫ ହଜାର ୧୭୪ ଟଙ୍କା ବ୍ୟୟରେ ଶିବ ସାଗର ଉପରେ ଚାଲିଛି ରାସ୍ତା କାମ । ହେଲେ ୧୨ଶହ ମିଟର ରାସ୍ତା କାମରେ ଲାଗିଛି ଦୁର୍ନୀତିର ଛିଟା । ମୋରମ୍ ଉପରେ ପିଚୁ ଢାଳି କାମ ସାରିଦେବାକୁ ଉଦ୍ୟମ କରୁଛି ମାଥିଲି କ୍ଷୁଦ୍ର ଓ ଜଳସେଚନ ବିଭାଗ । ଯାହାକୁ ବିରୋଧ କରି ଦାୟିତ୍ବରେ ଥିବା ୨ କନିଷ୍ଠ ଯନ୍ତ୍ରୀଙ୍କୁ ଘେରିଥଲେ ସ୍ଥାନୀୟ ଲୋକ ପ୍ରତିନିଧି । ଏହା ପରେ ବନ୍ଦ ରହିଛି କାମ ।
ପୂର୍ବରୁ ଶିବ ସାଗରରେ ଦୁର୍ନୀତିର ଚିତ୍ର ଦେଖାଇଥିଲା କନକ ନ୍ୟୁଜ । ମାଟି ଖୋଳି କୋଟିଏ ଟଙ୍କା ଚଳୁ ଘଟଣାରେ ଟେଣ୍ଡର୍ ବାତିଲ କରି ଠିକାଦାରଙ୍କୁ ଜରିମାନା କରିଥିଲା ବିଭାଗ । ଆଉ ଏବେ ନିମ୍ନମାନର ରାସ୍ତା କରି ଅର୍ଥ ହଡପ୍ କରାଯାଉଥିବା ଅଭିଯୋଗ ହୋଇଛି ।
ଦୀର୍ଘବର୍ଷର ସମସ୍ୟାକୁ ମାଧ୍ୟମ କରି ବିଭାଗୀୟ ବାବୁ ଓ ଠିକାଦାର ମାଲାମାଲ ହେଉଛନ୍ତି । ଆଉ ଏହାର ପ୍ରତିବାଦ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନପ୍ରତିନିଧି ।