କନକ ବ୍ୟୁରୋ: ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ଫଳକ ଲାଗିଛି । ଉଦଘାଟନ କରିଛନ୍ତି ତତ୍କାଳୀନ ଜିଲ୍ଲାପାଳ । ଖର୍ଚ୍ଚ କେତେ ହୋଇଛି ତାହା ଉଲ୍ଲେଖ ନାହିଁ । ସବୁଠୁ ବଡ଼ କଥା ହେଲା ଫଳକ ଲାଗିଥିଲେ ମଧ୍ୟ ପୋଖରୀ ନାହିଁ । ଫଳକ ଲାଗିଥିବା କାନ୍ଥ ହେଉଛି ଗରଦପୁର ବ୍ଲକ ଅଫିସର । ଯେଉଁ ସ୍ଥାନରେ ପୋଖରୀ ରହିବା କଥା ସେଠାରେ ଏବେ ଛିଡା ହୋଇଛି ପଞ୍ଚାୟତ ଅଫିସର ବିରାଟ ବିଲ୍ଡିଂ । ଅଥାର୍ତ ଭୂତ ପୋଖରୀ ଦେଖାଇ ଟଙ୍କା ଚଳୁ ହୋଇଛି । କେବଳ ଏତିକି ନୁହେଁ, ଯେଉଁ ଗୋଟିଏ ପୋଖରୀ ପଞ୍ଚାୟତ ଅଫିସ ପରିସରରେ ରହିଛି ତା ନାଁରେ ୪ଟି ଯୋଜନାରେ ଉଠିଛି ଟଙ୍କା । ଅର୍ଥାତ ଗୋଟିଏ ପୋଖରୀକୁ ଦେଖାଇ ୪ ଥର ଟଙ୍କା ହରିଲୁଟ୍ କରିଛନ୍ତି ବାବୁ ଓ ଠିକାଦାର ।
 
 
ଦୁର୍ନୀତିର ଚେର ବ୍ଲକ ଅଫିସ ଭିତରେ ସୀମିତ ନାହିଁ । ଏହା ପଞ୍ଚାୟତରୁ ପଞ୍ଚାୟତକୁ ବ୍ୟାପିଛି ।  ଯେଉଁଥିରେ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।  ମନେରଗା ଯୋଜନାରେ  ସାନଅଢଙ୍ଗା ପଞ୍ଚାୟତ ପୋଖରୀରେ କାମ ହୋଇଛି । କିନ୍ତୁ ମଣିଷ ନୁହେଁ ମେସିନ ଖୋଳିଥିବା ଅଭିଯୋଗ ଆଣିଛନ୍ତି ଲୋକେ । 
 
ପୋଖରୀ ଖୋଳାରେ ଦୁର୍ନୀତି କରିବାକୁ ପ୍ରତି ପ୍ରକଳ୍ପକୁ ଜାଣିଶୁଣି ଶେଷ କରାଯାଏ ନାହିଁ । ପରବର୍ତ୍ତୀ ବର୍ଷରେ ସେହି ପ୍ରକଳ୍ପରେ ପୁଣି ଟଙ୍କା ଉଠାଇବାକୁ ମସୁଧା କରିଥାନ୍ତି ଦୁର୍ନୀତିଖୋର ବାବୁ ।  ଏପରିକି ୨୦୧୯ରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ଏଯାଏଁ ମଧ୍ୟ ଶେଷ ହୋଇନାହିଁ ।  କେବଳ ଏତିକି ନୁହେଁ ଦୁର୍ନୀତିରେ ପରଦା ଢାଙ୍କିବାକୁ ଅନେକ ପୋଖରୀ ପ୍ରକଳ୍ପର ଫଳକ ମଧ୍ୟ ଲଗାଯାଏନି ବୋଲି ଅଭିଯୋଗ ହୋଇଛି ।