କନକ ବ୍ୟୁରୋ: ଆଦର୍ଶ ଗାଇ ଗୁହାଳ ଯୋଜନାରେ ଘୋଟଲା । ଅଯୋଗ୍ୟ ହିତାଧିକାରିଙ୍କୁ ମିଳୁଛି ଗୁହାଳ ଘର ହେଲେ ଯୋଗ୍ୟଙ୍କୁ ନାହିଁ । ପୁଣି ଗୁହାଳ କରାଇ ଦେବା ପାଇଁ ଦଲାଲ୍ ମାଗୁଛନ୍ତି ହାତ ଗୁଞ୍ଜା । ପ୍ରଥମେ ଟଙ୍କା ଦେଲେ ମିଳୁଛି ଗୁହାଳ କରିବାର କାର୍ଯ୍ୟାଦେଶ । ହାତ ଗୁଞ୍ଜା ନଦେଲେ ମିଳୁନି ଗୁହାଳ ତିଆରି କରିବାର ଟଙ୍କା । ଏପରି ଆଦର୍ଶ ଗାଇ ଗୁହାଳରେ ଅନିୟମିତତା ନେଇ ଗଞ୍ଜାମ ଜିଲ୍ଲା ଆସିକା ଓ ଧରାକୋଟ ବ୍ଲକର ଅନେକ ପଞ୍ଚାୟତରୁ ଆଭିଯୋଗ ଆସିଛି ।
ପ୍ରତିବର୍ଷ ଏହି ଯୋଜନାରେ ଅନିୟମିତତା କରାଯାଉଥିବା ହୋଇଛି ଅଭିଯୋଗ । ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଏହି ଗୁହାଳ ଯୋଗାଇବା ପାଇଁ କେବଳ ଅର୍ଥ କାରବାର କରାଯାଉଛି । ଅନେକ ଲୋକ ଗୋରୁ ରଖିଥିଲେ ବି ଟଙ୍କା ଦେଇନପାରିବାରୁ ଯୋଜନାରେ ନିଜକୁ ସାମିଲ୍ କରିପାରୁ ନଥିବା ଆଣିଛନ୍ତି ଅଭିଯୋଗ ।
କିଛି ଲୋକଙ୍କ ପାଖରେ ଗୋ-ଧନ ନଥାଇ ମଧ୍ୟ ଯୋଜନାରେ ସାମିଲ କରାଯାଇଛି । ବରିଗୁଡାରେ ପାଖାପାଖି ୩୦ରୁ ଅଧିକ ଆଦର୍ଶ ଗାଇ ଗୁହାଳର ଫଳକ ଲାଗିଛି ହେଲେ ନିର୍ମାଣ ହୋଇ ନାହିଁ । ଅନେକ ଲୋକ କେବଳ ଫଳକ କରି ଗୁହାଳ ନ କରି ବି ଦଲାଲଙ୍କୁ ଧରି ପୁରା ଯୋଜନାର ଅର୍ଥ ଚଳୁ କରି ଦେଇଛନ୍ତି । ସେପଟେ ଘଟଣା ନେଇ ଖୁବଶୀଘ୍ର ତଦନ୍ତ କରାଯିବାର ମିଳିଛି ପ୍ରତିଶ୍ରୁତି । ଗାଇ ଗୁହାଳ କେଳେଙ୍କାରି ହୋଇଥିବା ବେଳେ ଏହାକୁ ନିରପେକ୍ଷ ଦତନ୍ତ କରି ଦଲାଲ୍ ଓ ଅଫିସର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।