କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲାରେ DMF ପାଣ୍ଠି ଦୁରୂପଯୋଗ ଅଭିଯୋଗର ତଦନ୍ତ କରିବେ ଖୋଦ୍ ଜିଲ୍ଲାପାଳ । ୨ ମାସ ଭିତରେ ରିପୋର୍ଟ ଦାଖଲ କରିବେ । ଦୀର୍ଘ ୩ ବର୍ଷ ପରେ ଆଜି ଜିଲ୍ଲାରେ ଅନୁଷ୍ଠିତ ନୂଆ ଟ୍ରଷ୍ଟ ବୋର୍ଡ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ଅନୁଗୁଳ ଜିଲ୍ଲାରେ କେତେ କୋଟି ଟଙ୍କାର DMF ପାଣ୍ଠି ଦୁରୂପଯୋଗ ହୋଇଛି ? କେଉଁ ପ୍ରକଳ୍ପରେ କିଭଳି ଲୁଟ୍ ହୋଇଛି DMF ଅର୍ଥ ? କିଏ କରିଛି DMF ପାଣ୍ଠି ଦୁରୂପଯୋଗ ? ଏସବୁ ପ୍ରକଳ୍ପକୁ ମିଳିଥିଲା ନା ନାହିଁ ଟ୍ରଷ୍ଟ ବୋର୍ଡ ଅନୁମୋଦନ ? ଏସବୁର ଯାଞ୍ଚ କରିବେ ଅନୁଗୁଳ ଜିଲ୍ଲାପାଳ । କେଉଁଥିପାଇଁ କିଭଳି ଏ ପାଣ୍ଠି ଖର୍ଚ୍ଚ ହୋଇଛି, ତାର ତଦାରଖ କରି ୨ ମାସ ପରେ ହେବାକୁ ଥିବା ବୈଠକରେ ରିପୋର୍ଟ ଦାଖଲ କରିବେ । ଦୀର୍ଘ ୩ ବର୍ଷ ପରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବସିଥିବା ଜିଲ୍ଲା ଖଣିଜ ଫାଉଣ୍ଡେସନ DMF ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  । 

Advertisment

ସରକାରଙ୍କ ତଥ୍ୟ ଅନୁସାରେ ଅନୁଗୁଳ ଜିଲ୍ଲାକୁ DMF ପାଣ୍ଠି ବାବଦରେ ମିଳିଛି ହଜାର ହଜାର କୋଟି ଟଙ୍କା । ସେହି ପାଣ୍ଠିରୁ ଶହଶହ କୋଟି ଟଙ୍କା ବୋର୍ଡର ବିନା ଅନୁମୋଦନରେ ଖର୍ଚ୍ଚ ହୋଇଛି । ଯେଉଁଥିରେ ବ୍ୟାପକ ବାଟମାରଣା ହୋଇଥିବା ଅଭିଯୋଗ ହୋଇ ଆସୁଛି । ଏଥିସହ ଏକାଧିକ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ି ରହିଛି । କିନ୍ତୁ ଟଙ୍କା ନେଇ ଛୁ' ମାରିଛନ୍ତି ଠିକାଦାର ଓ ଠିକା ସଂସ୍ଥା । ତେଣୁ ଅଧା ପଡ଼ିଥିବା କାମ କେମିତି ଶେଷ ହେବ ଓ DMF ପାଣ୍ଠିର କିଭଳି ସୁବିନିଯୋଗ ହୋଇପାରିବ ତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଜିଲ୍ଲାରେ DMF ପାଣ୍ଠିରୁ ହେବାକୁ ଥିବା ଖର୍ଚ୍ଚ ନେଇ ସର୍ଭେ କରାଯାଇ ଏକ ୫ ବର୍ଷୀୟା ଖସଡ଼ା ପ୍ରସ୍ତୁତ କରାଯିବ । ଏହାଛଡ଼ା ଯେଉଁଠି ପାଣ୍ଠି ଆବଶ୍ୟକ, ସେନେଇ ପ୍ରସ୍ତାବ ଦେବାକୁ ସବୁ ଲୋକ ପ୍ରତିନିଧିମାନଙ୍କୁ କୁହାଯାଇଛି ।