କନକ ବ୍ୟୁରୋ: ଗୋଲାପ ଗୋଟାକୁ ୧୯୫ ଟଙ୍କା। ଠିକ୍ ଶୁଣିଛନ୍ତି। ଏହା ବଜାର ମୂଲ୍ୟ ନୁହେଁ, ଦୁର୍ନୀତି କରିବାକୁ ଦାମି ଗୋଲାପ ସାହାରା ନେଇଛନ୍ତି ସରକାରୀ ବାବୁ। କେଳେଙ୍କାରରୀ ନୂଆ ନୂଆ ରୂପ ଦେଖୁଛି ଓଡିଶା। ବରିଷ୍ଠ ନାଗରିକଙ୍କୁ ତୀର୍ଥ ବୁଲାଇବା ଆଳରେ ମଧ୍ୟ ସରକାରୀ ଅର୍ଥ ହରିଲୁଟ୍ ହୋଇଛି। ହଜାରେ ଲୋକଙ୍କୁ ଗୋଟିଏ ଲେଖାଁଏ ଗୋଲାପ ଦେଇ ନେଇଯାଇଛନ୍ତି ଲକ୍ଷେ ୯୫ ହଜାର ଟଙ୍କା । କଥା ପଦାରେ ପଡିବା ପରେ ଜିଲ୍ଲା ପ୍ରଶାସନ ତନାଘନା ଆରମ୍ଭ କରିଛି ।
ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ବଡ ଦୁର୍ନୀତି। ଗୋଲାପ ଫୁଲ ଯେ ଦୁର୍ନୀତିର ମାଧ୍ୟମ ପାଲଟିବ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଗୋଲାପ ନାଁରେ ଟଙ୍କା ଗୋଲ କରିଛନ୍ତି ସରକାରୀ ବାବୁ । ପୂର୍ବ ସରକାରରେ ହୋଇଥିବା ଏ ଦୁର୍ନୀତିର ବାସ୍ନା ଏବେ ମହମହ ବାସୁଛି । ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ଦାମିକିଆ ଗୋଲାପ ଦେଇ ଏଜେନ୍ସି ସହ ମିଶି ଲକ୍ଷ ଲକ୍ଷ ଚଳୁ କରିଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ। ବାଲେଶ୍ବର ଜିଲ୍ଲାରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗତ ଜାନୁଆରୀ ଓ ମାର୍ଚ୍ଚ ମାସରେ ବାଲେଶ୍ୱର ଜିଲ୍ଲା ପର୍ୟ୍ୟଟନ ବିଭାଗ ବରିଷ୍ଠ ନାଗରିକଙ୍କୁ ୨ ଥର ତୀର୍ଥଯାତ୍ରା ଭ୍ରମଣ ପାଇଁ ନେଇଥିଲା । ଜାନୁଆରୀରେ ୧ ହଜାର ତୀର୍ଥଯାତ୍ରୀ ଉଜ୍ଜେନ ଓ ଓମକାରେଶ୍ବର ଯାଇଥିଲେ। ସେମାନଙ୍କ ସ୍ୱାଗତ ପାଇଁ ୧୫ ଟଙ୍କିଆ ଗୋଲାପ ଦିଆଯାଇଥିଲା । କିନ୍ତୁ ମାର୍ଚ୍ଚ ମାସରେ ମଥୁରା ଓ ଆଗ୍ରା ଯାତ୍ରାରେ ତୀର୍ଥଯାତ୍ରୀଙ୍କୁ ଦିଆଯାଇଥିବା ଗୋଲାପର ଦାମ ୧୯୫ ଟଙ୍କାକୁ ବଢିଯାଇଥିଲା । ମାର୍ଚ୍ଚରେ ଗୋଲାପର ଦାମ କମ ରହୁଥିବା ବେଳେ କେମିତି ତୀର୍ଥଯାତ୍ରୀଙ୍କୁ ଦିଆଯାଇଥିବା ଗୋଲାପର ଦାମ ବଢିଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।
୨ ମାସରେ ପ୍ରତି ଗୋଲାପ ପିଛା ଦାମ ୧୮୦ ଟଙ୍କା କେମିତି ବଢିଲା ତାହାକୁ ନେଇ ତନାଘନା ପରେ କେଳେଙ୍କାରୀ ଘଟଣା ସାମ୍ନାକୁ ଆସିଛି। ସେତେବେଳେ ଦାୟିତ୍ୱରେ ଥିବା ସରକାରୀ ବାବୁ ଓ ସଂପୃକ୍ତ କିରାଣୀଙ୍କୁ ଟଙ୍କା ଆଦାୟ ପାଇଁ ନୋଟିସ୍ ଦିଆଯାଇଛି। ସେ ସମୟରେ ପର୍ୟ୍ୟଟନ ଅଧିକାରୀ ଦାୟିତ୍ବରେ ଥିବା ବର୍ତ୍ତମାନର ଜିଲ୍ଲାର ଅତିରକ୍ତ ଜିଲ୍ଲାପାଳ ଶୈଳେନ୍ଦ୍ର ଦାସ ଏ ବାବଦରେ ମୁହଁ ଖୋଲିବାକୁ ନାରାଜ। କିନ୍ତୁ ଏ ବାବୁ ଜଣକ ଟୁରିଷ୍ଟ ଏଜେନ୍ସିର ସବୁ ବିଲରେ ମୋହର ମାରୁଥିଲେ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖାଲି ଏହି ଗୋଲାପ ଫୁଲ କିଣାରେ ଘୋଟାଲା ହୋଇଛି ନା ସେସମୟରେ ଅନୁମୋଦିତ ହୋଇଥିବା ଅନ୍ୟ ସମସ୍ତ ବିଲରେ ଘୋଟାଲା ହୋଇଛି ତାହା ତଦନ୍ତ ହେଲେ ସ୍ପଷ୍ଟ ହେବ।