କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଲ୍ୟାମ୍ପସ୍‌ରେ ଦୁର୍ନୀତିର ପର୍ଦ୍ଦାଫାସ । ଚାଷୀଙ୍କ ଟଙ୍କା ନଫେରାଇ ହଇରାଣ କରୁଥିଲେ । ତଦନ୍ତ କରି ଲ୍ୟାମ୍ପସ୍‌ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଖୁବଶୀଘ୍ର ଟଙ୍କା ଫେରାଇବା ନେଇ ପ୍ରତିଶ୍ରୁତି ମିଳିଛି ।

Advertisment

ବୈପାରୀଗୁଡ଼ା ବ୍ଲକର ପ୍ରାୟ ୪ଶହ ପଞ୍ଜୀକୃତ ଚାଷୀ ୨ ହଜାର ୨୩୦ କ୍ବିଣ୍ଟାଲ୍‌ ଚିନାବାଦାମ ବିକ୍ରି କରିଥିଲେ । କ୍ବିଣ୍ଟାଲ୍‌ ପିଛା ସରକାରୀ ଦର ଥିଲା ୬୭୮୩ ଟଙ୍କା । ହେଲେ ବିଡ଼ମ୍ବନା ଅଧାଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା, ଆଉ ଅଧାଙ୍କୁ ମିଳିଲାନାହିଁ । ୪ ମାସ ଧରି ଅମଳ ଶସ୍ୟର ପାଉଣା ପାଇଁ ଚାଷୀଙ୍କୁ ଭୁଆଁ ବୁଲାଉଥିଲେ ଲ୍ୟାମ୍ପସ୍‌ ଅଧିକାରୀ । ଜଣେ ଅନ୍ୟ ଜଣଙ୍କ ଉପରକୁ ଦୋଷ ଠେଲି ଦେଉଥିଲେ । ପରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଚାଷୀଙ୍କ ଅସନ୍ତୋଷ ବଢ଼ିବାରୁ ଏକ ଟିମ୍‌  ତଦନ୍ତ କରି ବୈପାରୀଗୁଡ଼ା ବ୍ଳକ ଲ୍ୟାମ୍ପସ୍ ଅଧିକାରୀ ରବି ମିଶ୍ରଙ୍କୁ ନିଲମ୍ବିତ କରିଛି ।

ଅମଳ ଚିନାବାଦାମ ବିକ୍ରି ପାଇଁ ଚାଷୀ ହଇରାଣ ହେବାରୁ ସରକାର ମଣ୍ଡି ବ୍ୟବସ୍ଥା କରିଛନ୍ତି। ହେଲେ ଲ୍ୟାମ୍ପସ୍‌ ଅଧିକାରୀଙ୍କ ଘୋଟାଲା ପାଇଁ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଥିଲେ ଚାଷୀ। ଏବେ ଦୁର୍ନୀତିର ପର୍ଦ୍ଦାଫାସ ପରେ ଚାଷୀଙ୍କୁ ସେମାନଙ୍କ ପାଉଣା ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କେସିସି ବ୍ୟାଙ୍କ ସଭାପତି ।