କନକ ବ୍ୟୁରୋ: ଦୁର୍ନୀତି କେଉଁଠି, କେମିତି ବି ହୋଇପାରେ । ଟଙ୍କା ଖାଇବାକୁ ସତେ ଯେମିତି ସମସ୍ତେ ହାଁ ହାଁ ହେଉଛନ୍ତି । ଛୋଟ ହେଉ ବା ବଡ଼, ସବୁ ପ୍ରକଳ୍ପରେ ଲୋକଙ୍କ ସୁବିଧା ଅପେକ୍ଷା, ପ୍ରଥମେ ଭାଗ ଉପରେ ନଜର । ଯୋଜନା ବାବଦକୁ ଆସିଥିବା ଅର୍ଥରୁ କାହା ଭାଗରେ କେତେ ପଡ଼ିବ ତାକୁ ନେଇ ଚିନ୍ତା । ସେଥିପାଇଁ ପ୍ରକଳ୍ପ ନିମ୍ନମାନର ହେଉ, ଲୋକଙ୍କୁ ସୁଫଳ ମିଳୁବା ନମିଳୁ, ନାଁ ବାହାନା କାମ କରି ଖସିଯିବାକୁ ଚାହୁଁଛନ୍ତି ଠିକାଦାର । ଆଉ ତାଙ୍କୁ ହାତ ଖୋଲା ସହଯୋଗ କରୁଛନ୍ତି କିଛି ଅସାଧୁ ବାବୁ ।
ଏହା ବି ପଢ଼ନ୍ତୁ: ନିଶା କବଳରେ ଓଡ଼ିଶା, ରାଜ୍ୟରେ ବଢ଼ୁଛି ମଦ ବିକ୍ରି
ଓଡ଼ିଶା ଏକ କୃଷିପ୍ରବଣ ରାଜ୍ୟ । ଆମ ରାଜ୍ୟର ସିଂହଭାଗ ଲୋକ ଚାଷୀ । ଧାନ, ପାନ, ମୀନ, ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଚାଷୀ ଓ ଚାଷର ଉନ୍ନତି ପାଇଁ ବଜେଟ୍ରେ ମଧ୍ୟ ଶହଶହ କୋଟିର ବ୍ୟୟ ବରାଦ କରନ୍ତି ସରକାର । ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଏ । ହେଲେ ସବୁ ଯୋଜନାର ସୁଫଳ ଚାଷୀଙ୍କୁ ମିଳେନି । ଅନେକ ପ୍ରକଳ୍ପ ବାଟମାରଣା ହୁଏ । ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଚାଷୀ ଅସୁବିଧା ଭୋଗନ୍ତି, ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଲାଭ ଖାଆନ୍ତି । ଢେଙ୍କାନାଳ ସଦର ବ୍ଳକ ନାରଣପୁରରେ ଉଠା ଜଳସେଚନ ବିଭାଗ ପକ୍ଷରୁ ୨ଟି ପମ୍ପ ହାଉସ୍ ଘର ନିର୍ମାଣରେ ଅହେତୁକ ବିଳମ୍ୱ ଏବଂ ନିମ୍ନମାନ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ! ସ୍ପଷ୍ଟ ବାରି ହେଉଛି ।
ନାରଣପୁର ଗାଁର ୭୦% ପରିବାର କୃଷି ଉପରେ ନିର୍ଭରଶୀଳ । ଚାଷୀ ସମୁଦାୟ ପନି ପରିବା ବାଇଗଣ, ବିଲାତି, ଦେଶୀ ପିଆଜ, ଶାଗ ଆଦି ଉତ୍ପାଦନ କରି ପେଟ ପୋଷନ୍ତି । ଚାଷ ପାଇଁ ବଡ଼ ଜୋର ନାଳ ପାଣି ହେଉଛି ବଡ଼ ଆୟୁଧ । ବଡ଼ ଜୋର ପାଣିକୁ ଜମିରେ ପଞ୍ଚାଇବା ଲାଗି ଉଠା ଜଳସେଚନ ବିଭାଗ ପକ୍ଷରୁ ୨ଟି ପର୍ଯ୍ୟାୟରେ ୨ଟି ପମ୍ପ ହାଉସ ପାଇଁ ୭୨ ଲକ୍ଷ ଅର୍ଥ ମଞ୍ଜୁର କରିଛନ୍ତି । ନିର୍ମାଣ ଅବଧିର ବର୍ଷେ ବିତିଲାଣି ହେଲେ କାମ ସରିଲା ନାହିଁ । ଯାହା ଯେତିକି ହୋଇଛି ତାହା ଅତ୍ୟନ୍ତ ନିମ୍ନମାନର । ସେଥିରୁ ପଲସ୍ତରା ଝଡି ପଡ଼ୁଛି । ଝରକା ନାହିଁ, ଘର ସାଇଜ ମଧ୍ୟ ଛୋଟ । ଏନେଇ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ଖୋଦ୍ ପାଣି ପଞ୍ଚାୟତ ସମ୍ପାଦକ । ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେଣୁ ଚାଷୀଙ୍କ ପାଇଁ ଆସୁଥିବା ଅର୍ଥ ହରିଲୁଟ୍ ହେଉଥିବା ସନ୍ଦେହ କରାଯାଉଛି ।
Follow Us