କନକ ବ୍ୟୁରୋ : ଖଣି ବିଭାଗରେ ରହିଲେ,ଆଉ ଉଚ୍ଚ ପଦରେ ରହି ଖାଇଗଲେ ଖଣି ଟଙ୍କା । ଏବେ ଦୁର୍ନୀତି ଅଭିଯୋଗରେ ଖଣି ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅଣତାରକା ପ୍ରଶ୍ନରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ରାଜ୍ୟରେ କାର୍ଯ୍ୟରତ ଓ ପୂର୍ବତନ ୩୨ ଜଣ ଖଣି ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଛି । ଏମାନଙ୍କ ମଧ୍ୟରେ ଅଛନ୍ତି…

  • ଯୁଗ୍ମ ଖଣି ନିର୍ଦ୍ଦେଶକ-୧
  • ଉପ ଖଣି ନିର୍ଦ୍ଦେଶକ-୭
  • ଖଣି ଅଧିକାରୀ-୧୩
  • ବରିଷ୍ଠ ଖଣି ନିରୀକ୍ଷକ-୫
  • କନିଷ୍ଠ ଖଣି ଅଧିକାରୀ-୬

ସେହିଭଳି ଜଳସମ୍ପଦ ବିଭାଗରେ ୧୭୨ ଯନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଗୃହରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

ବିଭିନ୍ନ କାରଣରୁ  ଓ ଅଭିଯୋଗକୁ  ନେଇ ବାବୁମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ସରକାର ବିଚାର କରୁଛନ୍ତି ।  ନିଜ କ୍ଷମତା ଓ ପଦବୀର ଅପବ୍ୟବହାର କରି ଏମାନେ କୋଟି କୋଟି ଟଙ୍କା କମାଇଥିବା ଅଭିଯୋଗ ହୋଇଛି। ଲୋକଙ୍କ ଟଙ୍କାରେ ଏମାନେ ମାଲାମାଲ ହୋଇଛନ୍ତି । ଏବେ ଦୁର୍ନୀତିଗସ୍ତ ଅଫିସରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀକୁ ଅନେକ ମହଲରେ ସ୍ୱାଗତ କରାଯାଇଛି । 

ନୂଆ ସରକାର ଆସିବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଅଚାନକ ଚଢାଉ ଜାରି ରହିଛି । ଏହାକୁ ନେଇ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି । ଏବେ ରାଜ୍ୟ ସରକାରଙ୍କ ମନ୍ତବ୍ୟ ପରେ ବଡବଡିଆ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି ।