କନକ ବ୍ୟୁରୋ : ଦୁର୍ନୀତିରେ ବୁଡ଼ିଛନ୍ତି ସରକାରୀ ବାବୁ । ରାଜ୍ୟରେ ବିଭିନ୍ନ ଉଚ୍ଚ ପଦସ୍ଥ ଲାଞ୍ଚଖୋର ସରକାରୀ ବଡ଼ବାବୁ ମାନଙ୍କ ଠାରୁ ମିଳିଛି କୋଟି କୋଟି ଟଙ୍କା । ବେଆଇନ୍ ସମ୍ପତି ଠୁଳ ଘଟଣାରେ ଭିଜିଲାନ୍ସ ଜାଲରେ ପଡ଼ିଲେଣି ୬୩ ସରକାରୀ ବାବୁ । ରାଜ୍ୟରେ ନୂଆ ସରକାର ଆସିବା ପରେ ଚଢ଼ାଉ ଜୋରଦାର ହୋଇଛି, ହେଲେ ଛୋଟ ଛୋଟ ବାବୁ ଧରା ପଡ଼ୁଥବା ବେଳେ ବଡ଼ ବଡ଼ିଆ ଖସି ଯାଉଛନ୍ତି ।
ଦୁର୍ନୀତିଖୋର ସରକାରୀ ବାବୁଙ୍କ ଲମ୍ବା ତାଲିକା । ଗତ କିଛି ମାସର ଧରପଗଡ଼ରେ ବନ୍ଧା ହେଲେଣି ୬୩ ବାବୁ । କାହାର ଗାଡ଼ି ସଉକ, କାହାର ସୁନା ଓ ହୀରା, କାହାକୁ ଦରକାର ପୁଳା ପୁଳା ଟଙ୍କା ତ କିଏ ବିଦେଶ ବୁଲିବାକୁ ପସନ୍ଦ କରନ୍ତି । ବାବୁ ମାନଙ୍କର ଏମିତି ସଉକ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଏମାନଙ୍କ ଘରେ ପଶିଥିଲା ଭିଜିଲାନ୍ସ । ତାଲିକାରେ ରହିଛନ୍ତି ଅବକାରୀ ଅଧିକାରୀ, ରାଜ୍ୟ ପରିବହନ ବିଭାଗର ଅଧିକାରୀ, ଅଧୀକ୍ଷଣ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଥାନା ବାବୁ । ଏଠି ପ୍ରଶ୍ନ ଉଠୁଛି, କିଏ ଏମାନଙ୍କୁ ପ୍ରଶ୍ରୟ ଦେଉଛି ? ଛୋଟ ବାବୁଙ୍କୁ ଧରୁଛନ୍ତି, ବଡ଼ ବଡ଼ିଆ ଖସି ଯାଉଛନ୍ତି କି ?
୨୦୨୫ ଜାନୁଆରି ପହିଲାରୁ ଏପ୍ରିଲ୍ ୩୦ ଯାଏ ଭିଜିଲାନ୍ସ ରେଡରେ ୧୫ଟି ମାମଲାରେ ୨୮ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ ହୋଇଛି । କଳା ଟଙ୍କାରେ ପ୍ଲଟ, ଫ୍ଲାଟ୍ ଓ ଦାମୀ ଗାଡ଼ି କିଣିଥିଲେ ବାବୁ । କଳାଟଙ୍କାକୁ ସେୟାର ମାର୍କେଟ୍ ଓ ଫିକ୍ସ ଡିପୋଜିଟ୍ ଜରିଆରେ ନିବେଶ କରିଛନ୍ତି । ପୂର୍ବତନ ଭିଜିଲାନ୍ସ ଅଧିକାରୀଙ୍କ କହିବା କଥା, ସରକାରୀ ଚାକିରିରେ ବଦଳି ନିୟମ ଠିକ୍ ଭାବେ ପାଳନ ହେଉନଥିବାରୁ ବଢ଼ୁଛି ଲାଞ୍ଚୁଆ ଅଫିସରଙ୍କ ସଂଖ୍ୟା ।
ଲାଞ୍ଚ ମାଗୁଥିବା ଅଧିକାରୀଙ୍କ ନାଁରେ ଅଭିଯୋଗ ପାଇଁ, ଭିଜିଲାନ୍ସ ପକ୍ଷରୁ ଟୋଲ୍ ଫ୍ରି ନମ୍ୱର୍, ସାଧାରଣ ଲୋକଙ୍କ ମୋବାଇଲକୁ ସଚେତନତା ମେସେଜ୍, ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଛି । ତଥାପି ଲାଞ୍ଚ କରାବାରରେ ରୋକ୍ ଲାଗିପାରୁନି ।