କନକ ବ୍ୟୁରୋ: ସବୁବେଳେ ଚର୍ଚ୍ଚାରେ ରହୁଥିବା କର୍ପୋରେଟର ଅମରେଶ ଜେନା ପୁଣିଥରେ ବିବାଦକୁ ଆସିଛନ୍ତି । କିନ୍ତୁ ଏଥର କୌଣସି ରାଜନୈତିକ ବିବାଦକୁ ନେଇ ନୁହେଁ, ଏଥର ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି ।

Advertisment
  • କର୍ପୋରେଟର ଅମରେଶ ଜେନା ଗିରଫ
  • ଦୁଷ୍କର୍ମ ଓ ଗର୍ଭପାତ କରାଇଥିବା ଅଭିଯୋଗ 

ତିନି ଦିନର ଛକାପଞ୍ଝା ପରେ ଅମରେଶ ଜେନାକୁ ଗିରଫ କରିଛି ପୁଲିସ୍ । ବାଲେଶ୍ବର ନୀଳଗିରି ଅଞ୍ଚଳରୁ ଗିରଫ କରିବା ପରେ ଆଜି ଭୁବନେଶ୍ବର ଆଣି ଡାକ୍ତରୀ ପରୀକ୍ଷା କରିବା ସହ କୋର୍ଟ ଫରୱାର୍ଡ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ଯାଇଛନ୍ତି କର୍ପୋରେଟର ଅମରେଶ ଜେନା । ତେବେ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ଦଫା ଲଗାଇଛି କମିସନରେଟ୍ ପୁଲିସ୍ । 

ଅମରେଶଙ୍କ ବିରୋଧରେ ଦଫା 

  • ବିଏନଏସ ଧାରା ୬୪(୨) – ଧର୍ଷଣ
  • ବିଏନଏସ ଧାରା ୮୯ - ମହିଳାଙ୍କ ଅନୁମତି ବିନା ଗର୍ଭପାତ
  • ବିଏନଏସ ଧାରା ୨୯୬ - ଅଶ୍ଳୀଳ କାର୍ଯ୍ୟ
  • ୩୫୨ (ଅପରାଧିକ ଧମକ) ସହ ପୋକ୍ସୋ ଆଇନ ଧାରା ୬ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି

ମହିଳା ନିର୍ଯାତନାକୁ ନେଇ ସାରା ରାଜ୍ୟ ଉଠୁଥିବାବେଳେ ଗତ ବୁଧବାର ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ । ନାବାଳିକା ଅବସ୍ଥାରୁ ଅମରେଶ ତାଙ୍କୁ ଯୌନଶୋଷଣ କରିବା ସହ ନିର୍ଯାତନା ଦେଇଥିବା ଥାନାରେ ଲିଖିତ ଭାବେ ଜଣାଇଥିଲେ । ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଥିଲେ, ୨୦୨୩ ଜୁନରେ ରଜପର୍ବ ସମୟରେ ସେ ପ୍ରଥମେ ଅମରେଶଙ୍କୁ ଭେଟିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା । ସେପ୍ଟେମ୍ବରରୁ ଅମରେଶ ବାହାନାରେ ତାଙ୍କୁ ଯୌନ ଶୋଷଣ କରିବା ଆରମ୍ଭ କରିଥିଲେ । ଫେବ୍ରୁଆରି ୨୦୨୪ରେ ସେ ଦୁଇମାସର ଗର୍ଭବତୀ ହୋଇଥିବା ବେଳେ ଅମରେଶ ତାଙ୍କୁ ଗର୍ଭପାତ କରାଇଥିଲେ । ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପ୍ରିଲରୁ ସେ ତାଙ୍କୁ ଏଡ଼ାଇବା ଆରମ୍ଭ କରିଥିଲେ । ବାହା ପାଇଁ ଚାପ ଦେବାରୁ ଅମରେଶ ତାଙ୍କୁ ଧମକ ଦେଇ ଭୁବନେଶ୍ୱର ଛାଡ଼ି ଚାଲିଯିବାକୁ କହିଥିଲେ ।

ଅଭିଯୋଗ ପରେ ଯୁବତୀଙ୍କ ବୟାନ ବିଏନଏସ ଧାରା ୧୮୩ ଅନୁଯାୟୀ ରେକର୍ଡ ହୋଇଛି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ଅମରେଶଙ୍କ ପତ୍ନୀ । ଅନ୍ୟପଟେ ଗିରଫ ପରେ ଅମରେଶ ଜେନାଙ୍କୁ ଦଳକୁ ନିଲମ୍ବିତ କରିଛି ବିଜେଡି । ଦଳର ଉପସଭାପତି ପ୍ରତାପ ଜେନାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଲମ୍ବନ କରାଯାଇଛି ।