କନକ ବ୍ୟୁରୋ : ଭାରତ ସହ ବିଶ୍ୱର ଅନେକ ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ବ୍ୟାପିବାରେ ଲାଗିଛି । ବିଶେଷ କରି କୋଭିଡ-୧୯ ର ନୂଆ ପ୍ରଜାତି ଜେଏନ-୧ ଓ ଏହାର ସବ୍ ଭାରିଆଣ୍ଟ ଏଲଏଫ-୭, ଓ ଏନବି୧.୮ କାରଣରୁ ଏସିଆ ମହାଦେଶର ସିଙ୍ଗାପୁର ଓ ହଂକକଙ୍ଗରେ କରୋନାର ନୂଆ ପ୍ରଜାତି ବୃଦ୍ଧି ପାଇବାରେ ଲାଗିଛି । ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମୁତାବକ ଦେଶରେ ୧୯ ତାରିଖ ସୁଦ୍ଧା ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା କି ଗତ ୧ ବର୍ଷ ମଧ୍ୟରେ ସବୁଠାରୁ ଅଧିକ । ତେବେ ଆସନ୍ତୁ ଜାଣିବା କରୋନାର ଏହି ନୂଆ ପ୍ରଜାତି ସଂକ୍ରମଣ ହେଲେ କ'ଣ କ'ଣ ଲକ୍ଷଣ ଦେଖାଯାଉଛି । 

Advertisment

କରୋନାର ଏହି ନୂଆ ପ୍ରଜାତି ୨୦୨୩ ଅକ୍ଟୋବର ମାସରେ ଚିହ୍ନଟ ହୋଇଥିଲା । ଜନ୍ସ ହାପାକିନ୍ସ ମେଡିସିନ୍ ମୁତାବକ ଏହି ପ୍ରଜାତି କରୋନାର ଅନ୍ୟ ପ୍ରଜାତି ଠାରୁ ଅଧିକ ସଂକ୍ରାମକ । ଭାରତରେ ଏପର୍ଯ୍ୟନ୍ତ ଏହି ପ୍ରଜାତି ସଂକ୍ରମଣର କୌଣସି ଅଧିକାରୀକ ସୂଚନା ନାହିଁ । ହେଲେ କେରଳ, ମହାରାଷ୍ଟ୍ର ଓ ତାମିଲନାଡୁରେ ଅଧିକାଂଶ ମାମଲା ଦେଖିବାକୁ ମିଳିଛି । 

ଏହି ନୂଆ ପ୍ରଜାତି ଜେଏନ.୧ ର ଲକ୍ଷଣ କୋଭିଡ-୧୯ ର ଡେଲଟା ଓ ଓମିକ୍ରନ ପ୍ରଜାତି ସହ ସମାନ । ବିଶେଷ କରି ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକ, ବୟସ୍କ ଲୋକ, ପୁରୁଣା ରୋଗ ଥିବା ଲୋକ ଓ ବିଶେଷ କରି ମଧୁମେହ ଓ ହୃଦରୋଗୀମାନେ ଏହା ଉପରେ ଧ୍ୟାନ ଦେବା ଜରୁରି । 

କରୋନାର ଏହି ନୂଆ ପ୍ରଜାତି ସଂକ୍ରମଣ ହେଲେ ବିଶେଷ କରି ଶୁଖିଲା କାଶ ଦୀର୍ଘଦିନ ଲାଗି ରହିବ । ଖାଦ୍ୟର ସ୍ୱାଦ ଜଣାପଡିବ ନାହିଁ, ମୁଣ୍ଡ ବ୍ୟଥା ହେବ । ଯାହାକି ସାଧାରଣ ଔଷଧରେ ଭଲ ହେବ ନାହିଁ । ଏହାସହ ନାକରୁ ପାଣି ଗଡିବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଦେଇଥାଏ । 

ଏହି ଭୂତାଣୁରେ ଯଦି ସଂକ୍ରମିତ ହେଉଛନ୍ତି ତେବେ ତୁରନ୍ତ କୋଭିଡର ବୋଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏହାସହ ପୂର୍ବରୁ କରୋନା ସମୟରେ ଯେଉଁ ପ୍ରତିକାର ଉପରେ ଧ୍ୟାନ ଦିଆଯାଉଥିଲା ତାହା ଉପରେ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।