କନକ ବ୍ୟୁରୋ : କରୋନା ଭୂତାଣୁର ଅନେକ ପ୍ରଜାତି ବିଶ୍ୱକୁ ଛାରଖାର କରିସାରିଛି । ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ଲୋକମାନେ ପ୍ରଥମେ ଦୁଇଟି ଡୋଜ୍ ଓ ପରେ ବୁଷ୍ଟର ଡୋଜ୍ ମଧ୍ୟ ନେଇସାରିଛନ୍ତି । ହେଲେ ଏବେ କଥା ଉଠୁଛି କି, ଯେଉଁ ଲୋକମାନେ ପ୍ରଥମେ ଦୁଇଟି ଓ ପରେ ବୁଷ୍ଟର ଡୋଜ୍ ନେଇଛନ୍ତି ସେମାନେ ଚତୁର୍ଥ ଥର ପାଇଁ କରୋନା ଟିକା ନେଇପାରିବେ ତ ? ଏହା ସୁରକ୍ଷିତ କି ? ଆଉ କେଉଁ ବର୍ଗର ଲୋକଙ୍କ ପାଇଁ ଚତୁର୍ଥ ଡୋଜର ଆବଶ୍ୟକତା ରହିଛି ।
କିଛି ବର୍ଷର ବିରତି ପରେ ଏବେ ପୁଣି ଭାରତ ସମେତ ଅନେକ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି । ହେଲେ କରୋନାର ଦ୍ୱିତୀୟ ଲହର ବେଳେ ଲୋକମାନେ କରୋନା ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ ନେବା ସହ ବୁଷ୍ଟର ଡୋଜ ମଧ୍ୟ ନେଇସାରିଛନ୍ତି । ଏହାକୁ କରୋନା ସଂକ୍ରମଣ ବିରୋଧରେ ଲଢିବାକୁ ପର୍ଯ୍ୟାପ୍ତ ବୋଲି କୁହାଯାଇଥିଲା । ହେଲେ ସମୟ ସହ ତାଳ ଦେଇ କରୋନାର ନୂଆ ନୂଆ ପ୍ରଜାତି ସାମ୍ନାକୁ ଆସୁଛି । ସେପଟେ ବୈଜ୍ଞାନିକମାନେ ଅନୁଭବ କରୁଛନ୍ତି କି, କିଛି ସମୟ ପରେ ଏହି ଟିକାର ପ୍ରଭାବ କମିବାରେ ଲାଗୁଛି । ଏହାକୁ ନେଇ ବୁଷ୍ଟର ଡୋଜ୍ ଆରମ୍ଭ କରାଯାଇଥିଲା । ହେଲେ ଏବେ ପ୍ରଶ୍ନ ଉଠୁଛି କି, ବୁଷ୍ଟର ଡୋଜ୍ ପରେ କ'ଣ ପୁଣିଥରେ ଟିକା ନେବାର ଆବଶ୍ୟକତା ରହିଛି କି ?
ଭାରତରେ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜକୁ ଠିକ୍ ବୋଲି ଗ୍ରହଣ କରାଯାଇଥିଲା । ଏହା ଟିକାର ଦୁଇଟି ଡୋଜ ନେବାର ୬ ମାସ ପରେ ନେବାକୁ ପଡିଥାଏ । ଏବେ ପୁଣି କରୋନା ଭୂତାଣୁ ବ୍ୟାପୁଥିବାରୁ ଲୋକମାନଙ୍କ ମନରେ ଟିକାକୁ ନେଇ ପ୍ରଶ୍ନ ଉଠୁଛି । ଲୋକମାନେ ଭାବୁଛନ୍ତି କି, ପୁଣି ଟିକା ନେବାକୁ ପଡିବ କି ? ହେଲେ ସରକାରଙ୍କ ତରଫରୁ ଏନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଆସିନାହିଁ କି, ଚତୁର୍ଥ ଡୋଜ ନେବାକୁ ସରକାର କହିନାହାଁନ୍ତି । ହେଲେ ଏବେ କିଛି ଦେଶ ଚତୁର୍ଥ ଡୋଜ୍ ଦେବା ଆରମ୍ଭ କରିଛନ୍ତି । ବିଶେଷ କରି ବୟସ୍କ ଓ ଶିଶୁମାନଙ୍କୁ ଚତୁର୍ଥ ଡୋଜ୍ ଦିଆଯାଉଛି । ହେଲେ ଭାରତରେ ଏନେଇ କୌଣସି ନିର୍ଦ୍ଦେଶ ନାହିଁ ।