କନକ ବ୍ୟୁରୋ: ସାଗରରୁ ଉଠିବ ସୁଉଚ୍ଚ ସୁନାମୀ !
                    ବୁଡ଼ିଯିବ ଦେଶର ବଡ଼ ବଡ଼ ସହର !
                   ସମୁଦ୍ର  ଭିତରୁ ଆସୁଛି ପ୍ରଳୟ ସଙ୍କେତ
 ଭାଙ୍ଗୁଛି ସମୁଦ୍ରର ପାଚେରି । ଉଠୁଛି  ଉଚ୍ଚ ଲହରୀ । ଏ ଲହରୀ ଆଗକୁ ଆହୁରି ଲମ୍ଫ ଦେବ । ଲୋକ ବସତିକୁ ମାଡ଼ିଆସିବ ।  ଜୀବନକୁ ନିଜ ଗର୍ଭରେ ମିଶାଇ ଦେବ। ଏନେଇ ଏବେଠୁ ସଙ୍କେତ ଦେଲାଣି ଗଭୀର ସମୁଦ୍ର । କାରଣ ଅସହ୍ୟ ହେଲାଣି ମଣିଷର ସ୍ବାର୍ଥପରତା । ଏଥର ପ୍ରକୃତିର ପାଳି  ।

Advertisment

ପ୍ରକୃତି ମଣିଷକୁ ସବୁକିଛି ଦେଇଛି, ଦେଉଛି ମଧ୍ୟ । କିନ୍ତୁ ମଣିଷ  ସେସବୁର ମର୍ଯ୍ୟାଦା ରଖୁନି । ନିଜର ସ୍ବାର୍ଥ ପାଇଁ ପରୀକ୍ଷା ଆଳରେ କରୁଛି ଅଜବ କାଣ୍ଡ । ନିଜର ସୁଖ ସୁବିଧା ପାଇଁ କେଉଁଠି ପାହାଡ଼ ଉପରେ ଜଙ୍ଗଲ କାଟି ସୌଧ କରୁଛି ତ କେଉଁଠି ବେପାର ପାଇଁ ସମୁଦ୍ର ଭିତରେ ସହର ତୋଳୁଛି, ଯାହା ପ୍ରକୃତି ବାଟରେ ବିରାଟ ପତିବନ୍ଧକ । ସମୁଦ୍ର ଗର୍ଭରେ ଥିବା ଜୀବନକୁ ଧ୍ବଂସ୍ତ ବିଧ୍ବଂସ୍ତ କରିବାକୁ କିଛି ବାକି ରଖୁନି । ଯଦି ଏପରି ଲାଗି ରହେ ତେବେ ସମୁଦ୍ର ଯେ ଦିନେ ମହାପ୍ରଳୟ କରିବ ଏହାକୁ ଅସ୍ବୀକାର କରିହେବନି ।

ସ୍ଥଳଭାଗକୁ ବଡ଼ ସୁରକ୍ଷା ଦେବାରେ ସମୁଦ୍ରର ପାଚେରୀ କୁହାଯାଉଥିବା କୋରାଲ୍ ରିଫ୍ ବା ପ୍ରବଳ ପ୍ରାଚୀର ସବୁଠୁ ବଡ଼ ଢାଲ । କିନ୍ତୁ ବର୍ଷକୁ ବର୍ଷ ଏ ପାଚେରି ଭାଙ୍ଗିଯାଉଛି । ସେଥିପାଇଁ ସମୁଦ୍ର ଉଛୁଳୁଛି । ଅଷ୍ଟ୍ରେଲିଆର ଗ୍ରେଟ୍ ବ୍ୟାରିଅର୍ ରିଫ୍‌ରେ ସମୁଦ୍ରର ତାପମାତ୍ରା ନିରନ୍ତର ବୃଦ୍ଧି ପାଇବା ଯୋଗୁଁ ଅତ୍ୟନ୍ତ କ୍ଷତିକାରକ କେରାଲ  ବ୍ଲିଚିଂ ବା ପ୍ରବାଳ କ୍ଷୟ ହେଉଛି , ଯାହା ସାରା ବିଶ୍ବର ଜୀବଜଗତ ପାଇଁ ଏକ ବିରାଟ ବିପଦ ବୋଲି ସତର୍କ କରିଛନ୍ତି   ବୈଜ୍ଞାନିକ ।

ଜେମ୍ସ କୁକ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଟେରି ହ୍ୟୁଜ୍ ଏକ ବ୍ୟାପକ ସର୍ଭେ କରି କହିଛନ୍ତି,  ବଢ଼ୁଥିବା ତାପମାତ୍ରା ଯୋଗୁଁ, ଗତ ୫ ବର୍ଷ ମଧ୍ୟରେ କେବଳ ୨୩୦୦ କିଲୋମିଟର ପ୍ରବାଳ ପାଚେରି ସିଷ୍ଟମରେ ତୃତୀୟ ଥର ପାଇଁ ବଡ଼ କ୍ଷୟ ହୋଇଛି । ଏଭଳି କ୍ଷୟ ପ୍ରଥମେ ୧୯୯୮, ୯୯ରେ ଚିହ୍ନଟ ହୋଇଥିଲା । ରେକର୍ଡ ଅନୁସାରେ, ଏହା ସବୁଠାରୁ ଉତପ୍ତ ବର୍ଷ ଥିଲା । ତାପମାତ୍ରାରେ ଲଗାତାର ବୃଦ୍ଧି ଯୋଗୁଁ, ପ୍ରବାଳ ପ୍ରାଚୀର ବି ଲଗାତାର ଭାଙ୍ଗିବାରେ ଲାଗିଛି । ସମୁଦ୍ରରେ ପ୍ରଦୂଷଣ ବଢ଼ୁଥିବାରୁ ନୂଆ ପ୍ରବାଳ ପ୍ରାଚିର ବି ସୃଷ୍ଟି ହେବାରେ ସମସ୍ୟା ହେଉଛି । 

 କେବଳ ଏତିକି ନୁହେଁ ସମୁଦ୍ର ତଟରେ ଥିବା ମ୍ୟାନଗ୍ରୋଭ୍ ବା ହେନ୍ତାଳ ବନ ଦିନକୁ ଦିନ ସରି ସରି ଯାଉଛି । ଏଠାରୁ କାଠ କାଟି ନେଇ ଚୋରା ଚାଲାଣ କରୁଛନ୍ତି ଦଲାଲ । ନା ସମୁଦ୍ର ଭିତରେ ପାଚେରି ଅଛି ନା ବାହାର ପାଚେରି । ଯେଉଁଠି ପାଚେରି ଭାଙ୍ଗିଯାଉଛି  ସେଠି ସମୁଦ୍ର ଯେ ଦିନେ ବିରାଟ ଢେଉ ନେଇ ମାଡ଼ିଆସିବ , ଜୀବସତ୍ତାକୁ ଗିଳିଦେବ ଏହାକୁ ମନା କରିହେବନି । ଯଦିଓ ସମୟ ସରିଆସିଲାଣି ତଥାପି ସତର୍କ ହୋଇ ପ୍ରକୃତି ଉପରେ ମାନବୀୟ ପରୀକ୍ଷଣକୁ ରୋକିବାକୁ ପଡ଼ିବ ନଚେତ୍ ବିନାଶ ନିଶ୍ଚିତ ।